୬ ବରିଷ୍ଠ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ୬ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ)ଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବାବେଳେ ୯ଜଣଙ୍କୁ ଉଚ୍ଚ ପ୍ରଶାସନିକ ପାହ୍ୟା(ଏସଏଜି) ମିଳିଛି। ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧିକାରୀ(ଓଏସ୍‍ଡି) ତଥା ବରିଷ୍ଠ ଓଏଏସ୍‍ ଅଧିକାରୀ ଦିଲୀପ ରାଉତରାୟଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟା ମିଳିଛି। ଏହାସହିତ ବ୍ରହ୍ମପୁର ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ସୂର୍ଯ୍ୟମାଧବ ପାଣିଗ୍ରାହୀ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଅତିରିକ୍ତ ସଚିବ ସରୋଜ କୁମାର ପଟେଲ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅତିରିକ୍ତ ସଚିବ ସୁମନ ବେହେରା, ‘ଓମବାଡସି’ ସାଧାରଣ ପରିଚାଳକ ସୁଧାକର ବୁର୍ଗୀ ଏବଂ କେନ୍ଦୁଝର ପ୍ରକଳ୍ପ ନିର୍ଦେଶକ ଡ. ଉଦ୍ଧବ ଚରଣ ମାଝିଙ୍କୁ ମଧ୍ୟ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ନିର୍ଦେଶନାମାରେ ସମବାୟ ବିଭାଗ ଯୁଗ୍ମ ସଚିବ ସନ୍ତୋଷ କୁମାର ଦାଶ ଓ ଭଦ୍ରକ ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସଙ୍କୁ (ସୁପରଟାଇମ୍‍ ସ୍କେଲ)ରୁ ଏସଏଜି ପାହ୍ୟାକୁ ପଦୋନ୍ନତିି ମିଳିଛି।

ଏହାବ୍ୟତୀତ ଜଳସମ୍ପଦ ବିଭାଗ ଯୁଗ୍ମ ସଚିବ ଅନୀଲ କୁମାର ପଟ୍ଟନାୟକ, ନୂଆଦୀଲ୍ଲିସ୍ଥିତ ଯୁଗ୍ମ ଆବାସିକ ଆୟୁକ୍ତ ପ୍ରେମଜିତ ନାୟକ, ଏଡିଏମ୍‍ (ଭଦ୍ରକ) ଅରୁଣ କୁମାର ମହାପାତ୍ର, ଶ୍ରମ ବିଭାଗ ଯୁଗ୍ମ ସଚିବ ନରହରି ସେଠୀ, ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ କୁଳସଚିବ(ରେଜିଷ୍ଟ୍ରାର) ଯୁଗଳେଶ୍ୱରୀ ଦାସ, ଜଳସମ୍ପଦ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ୱାଇଁ ଏବଂ ଓକାକ୍‍ ସାଧାରଣ ପରିଚାଳକ ମଧୁମିତା ରଥଙ୍କୁ ମଧ୍ୟ ଏସଏଜି ପାହ୍ୟାକୁ ପଦୋନ୍ନତି ମିଳିଛି।

Comments are closed.