ତୁର୍କୀ ବିବାହ ଭାରତରେ ବୈଧ ହୋଇନି, ଛାଡପତ୍ର କଣ? ଟିଏମ୍‌ସି ସାଂସଦ ନୁସରତ୍‌

କଲକାତା: ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ୍‌ ଜାହାଁ ଓ ବ୍ୟବସାୟୀ ନିଖିଲ ଜୈନଙ୍କ ବୈବାହିକ ସମ୍ପର୍କର ତିକ୍ତତାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରୁ ପରଦା ହଟିଛି। ବୁଧବାର ଉଭୟ ନୁସରତ୍‌ ଓ ନିଖିଲ ଏ ସମ୍ପର୍କରେ ନିଜ ନିଜର ମତ ସ୍ପଷ୍ଟ କରିଛନ୍ତି। ପ୍ରଥମେ ନୁସରତ୍ କହିଥିଲେ ଯେ ନିଖିଲଙ୍କ ସହିତ ତାଙ୍କ ବୈବାହିକ ସମ୍ପର୍କ ଆଇନତଃ ବୈଧ ନୁହେଁ। ନୁସରତ୍‌ କହିଛନ୍ତି, ‘ଦୁଇବର୍ଷ ତଳେ ଉଭୟଙ୍କର ବିବାହ ତୁର୍କୀରେ ହୋଇଥିଲା। ତୁର୍କୀ ବିବାହ ଆଇନ ଅନୁଯାୟୀ ଏହି ବିବାହ ହୋଇଥିଲା। ଏହି ବିବାହ ଭାରତର ସ୍ବତନ୍ତ୍ର ବିବାହ ଆଇନ ଅନୁଯାୟୀ ବୈଧ ହେବାର ଆବଶ୍ୟକତା ରହିଛି; ଯାହା ଏ ପର୍ଯ୍ୟନ୍ତ ହୋଇ ନାହିଁ। ତେଣୁ ଭାରତୀୟ ଆଇନ ଅନୁଯାୟୀ ଏହା ଏକ ବିବାହ ନୁହେଁ; ବରଂ ଏହା ଏକ ସମ୍ପର୍କ ବା ଲିଭ-ଇନ୍‌-ରିଲେସନ୍‌ସିପ୍‌।’

ନୁସରତ୍ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଆଇନତଃ ବିବାହ ହୋଇ ନଥିବାରୁ ନିଖିଲଙ୍କ ଠାରୁ ଛାଡପତ୍ର ନେବାର ଆବଶ୍ୟକତା ନାହିଁ। ଅନ୍ୟପଟେ ନିଖିଲ କହିଛନ୍ତି ଯେ ନୁସରତ୍‌ଙ୍କ ଠାରୁ ବୈବାହିକ ସମ୍ପର୍କ ଚ୍ଛିନ୍ନ ଲାଗି ସେ କଲକାତାର ଏକ ଅଦାଲତରେ ଆବେଦନ କରିଛନ୍ତି। ଏହି ଆବେଦନ ଅଦାଲତରେ ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ନିଖିଲ ଅଧିକ କିଛି କହିବାକୁ ମନା କରିଛନ୍ତି। ତେବେ ୨୦୨୦ ନଭେମ୍ବରୁ ଉଭୟ ଅଲଗା ରହୁଥିବା ନିଖିଲ କହିଛନ୍ତି।

Comments are closed.