କୋଭିଡ୍‍-୧୯ରୁ ଆରୋଗ୍ୟଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ଦେଶରେ ମୃତ୍ୟୁସଂଖ୍ୟା ୨୭,୪୯୭

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କର ସଂଖ୍ୟା ୭ଲକ୍ଷକୁ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨ ହଜାର ୬୬୪ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଏଯାବତ ମୋଟ୍‍ ୭ଲକ୍ଷ ୮୭ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୬୨.୬୧% ରହିଛିି। ସେହିପରି କୋଭିଡ୍‍-୧୯ରେ ସଂକ୍ରମିତ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସଂଖ୍ୟା ୩ଲକ୍ଷ ୯୦ ହଜାର ୪୫୯ ରହିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୪୦ ହଜାର ୪୨୫ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୧୧ଲକ୍ଷ ୧୮ ହଜାର ୪୩ ରହିଛି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବାର ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। ସେହିପରି ଗୋଟିଏ ଦିନରେ ୬୮୧ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁହେବା ସହ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭ ହଜାର ୪୯୭ରେ ପହଞ୍ଚିଛି।

ତେବେ ଦେଶରେ କରୋନା ଜନିତ ମୃତ୍ୟୁହାର ହ୍ରାସ ପାଇବା ଜାରି ରହିଛି। ବର୍ତ୍ତମାନ କରୋନା ମୃତ୍ୟୁହାର ୨.୪୫ ଭାଗ
ରହିଛି। ଆରୋଗ୍ୟ ହାର ଦୃଷ୍ଟିରୁ ଦେଶର ପ୍ରମୁଖ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଲଦାଖ, ଦିଲ୍ଲୀ, ହରିଆଣା, ରାଜସ୍ଥାନ ଓ ଗୁଜରାଟ ରହିଛି। ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଶତକଡ଼ା ୭୨ ଭାଗରୁ ଅଧିକ ରହିଛି। ଦେଶର ଆଉ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ମଧ୍ୟ ଜାତୀୟ ଆରୋଗ୍ୟ ହାରଠାରୁ ଉପରେ ରହିଛି। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହା ପରକୁ
ତାମିଲନାଡୁ ଓ ଦିଲ୍ଲୀ ରହିଛି। ମଣିପୁର, ନାଗାଲାଣ୍ଡ, ସିକିମ୍‍,ମିଜୋରାମ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଳି ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଗତକାଲି କୋଭିଡରେ କାହାରି ମୃତ୍ୟୁ ଘଟିନାହିିଁ। ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ମଧ୍ୟ କମ୍‍ ରହିଛି।

ଅନ୍ୟପକ୍ଷରେ  ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୬୭ ଭାଗ ସଂକ୍ରମିତ ମହାରାଷ୍ଟ୍ର,
ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶର ରହିଛନ୍ତି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୨ ଲକ୍ଷ ୫୬ ହଜାର ୩୯ଟି ନମୁନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୧କୋଟି ୪୦ଲକ୍ଷ ୪୭ ହଜାର ୯୦୮ଟି ନମୁନାର ପରୀକ୍ଷା କରାଯାଇ ସାରିଛି।

 

Comments are closed.