ବଢ଼ିବ +୨ ପରୀକ୍ଷା କେନ୍ଦ୍ର ସଂଖ୍ୟା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଗୁରୁତ୍ବ ଦିଆଯାଇଛି। ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ସୂଚାରୁ ରୂପେ ଯୁକ୍ତ ଦୁଇ ପରୀକ୍ଷା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି। ମେ’ ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏ ବର୍ଷ ୩ ଲକ୍ଷ ୪୮ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଅନ୍ୟପକ୍ଷରେ ଏଥର ପରୀକ୍ଷା ଦେବାକୁ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସବୁ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା ପରିଚାଳନା ପାଇଁ ପରିଷଦର ବରିଷ୍ଠ ପଦାଧିକାରୀଙ୍କୁ ନେଇ ବୈଠକ କରାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ପରୀକ୍ଷା କେନ୍ଦ୍ର ଓ ହବ୍‌ ସଂଖ୍ୟା ଧାର୍ୟ୍ୟ କରାଯିବ।

କରୋନା କଟକଣାରେ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ। ସଂକ୍ରମଣ ବଢୁଥିବାରୁ ଏଥର ସବୁ ଜିଲାରେ ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ପ୍ରସ୍ତାବ ରହିଛି। ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରୋନା କଟକଣା ମଧ୍ୟରେ ପରୀକ୍ଷା କରାଯିବ। ଦିବ୍ୟାଙ୍ଗଙ୍କ ପାଇଁ ପରୀକ୍ଷାରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଜଣାଯାଇଛି। ୨୦ ତାରିଖ ସୁଦ୍ଧା ଅଧ୍ୟକ୍ଷ ସମସ୍ତ ବ୍ୟବସ୍ଥା କରାଇବେ। କୌଣସି ପ୍ରକାର ତ୍ରୁଟି ଦେଖାଦେଲେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ଏଥିପାଇଁ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

Comments are closed.