ଦେଶ ପାଇଁ ଲଢ଼େଇ କରିଥିବା ଯବାନଙ୍କୁ ମିଳୁନି ସମ୍ମାନ, ପେଟପାଟଣା ପାଇଁ ଆଜି ଦିନ ମଜୁରିଆ

ନୂଆପଡ଼ା : ନିଜ ଯୌବନରେ ସେ କାନ୍ଧରେ ବନ୍ଧୁକ ଧରି ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଉଥିଲେ। ଦେଶ ସେବା ପାଇଁ ସମର୍ପିତ ଭାବନା ନେଇ କାମ କରିଥିଲେ। ଏବେ ସେହି ଯବାନ ଅଲୋଡ଼ା ହୋଇଛନ୍ତି। ବନ୍ଧୁକ ଧରିବା ହାତରେ ରଫା, କୁଦାଳି, ଟାଙ୍ଗିଆ ଧରି ଅନ୍ୟର ଘରେ କାମ କରି ପରିବାର ଚଳାଉଛନ୍ତି। ଦିନ ମଜୁରିଆ ଭାବେ ଯାହା ରୋଜଗାର ହୁଏ ସେଥିରେ ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ ଗୋଡ଼ଫୁଲା ପଞ୍ଚାୟତ ପରସଖୋଲ ଗାଁରେ।

ଜିଲା ମୁଖ୍ୟାଳୟ ମାତ୍ର ୬ କିମି ଦୂରତାରେ ଅବସ୍ଥିତ ପରସଖୋଲ ଗାଁରେ ରୁହନ୍ତି ଚନ୍ଦୁରାମ ମାଝି(୫୫)। ବଡ଼ ଝିଅ କ୍ଷେତ୍ରୀ(୨୨), ଶିବାନୀ(୧୮), ମନିକା(୧୬), ସାନ ଝିଅ ବୈଷ୍ଣେବୀ(୧୦)କୁ ନେଇ ତାଙ୍କ ପରିବାର। ୧୯୮୮ ଅଗଷ୍ଟ ୧୧ରେ ଚନ୍ଦୁରାମ ଭାରତୀୟ ସୈନ୍ୟ ବାହାନୀ(ଆର୍ମୀ ସର୍ଭିସ୍‌)ରେ ଯୋଗ ଦେଇଥିଲେ। ତା’ର କିଛି ବର୍ଷ ପରେ ହାବିଲଦାର ଭାବେ ପଦୋନ୍ନତି ହୋଇଥିଲା। ତାଙ୍କର ଚାକିରି ଜୀବନରେ ରାଜସ୍ତାନ, ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗ, ଚଣ୍ଡିଗଡ଼ ଭଳି ରାଜ୍ୟରେ ଦେଶର ସୀମା ଅଞ୍ଚଳରେ ସୀମା ସୁରକ୍ଷା ବଳରେ ନିୟୋଜିତ ହୋଇଥିଲେ। ୨୪ ବର୍ଷ ଧରି ହାତରେ ବନ୍ଧୁକ ଧରି ଦେଶ ପାଇଁ ସୁରକ୍ଷା ଦେଇଥିଲେ। ଗତ ୨୦୧୨ ଜୁନ ମାସରେ ସ୍ତ୍ରୀ ବିନ୍ଦୁମତୀ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିଲେ।

ଜୁନ ୨୬ ତାରିଖରେ ୨୬ ଦିନର ଛୁଟି ନେଇ ସ୍ତ୍ରୀର ଚିକିତ୍ସା ପାଇଁ ଘରକୁ ଆସିଥିଲେ। ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସା କରିଥିଲେ ବି ଆରୋଗ୍ୟ ଲାଭ କରିନଥିଲେ। ସ୍ତ୍ରୀଙ୍କ ଦେହ ଅସୁସ୍ଥ ହେବାରେ ଲାଗିଥିବାରୁ ନିଜ କାର୍ୟ୍ୟସ୍ଥଳକୁ ଫେରି ପାରିନଥିଲେ। ସେପ୍ଟେମ୍ବର ୧ ତାରିଖରେ ଅବସର ନେବାକୁ ରହିଥିଲେ ବି ରୋଗୀଣା ସ୍ତ୍ରୀ ଓ ୪ ଝିଅକୁ ଛାଡ଼ି ଯାଇ ପାରିନଥିଲେ। ଗତ ୨୦୧୨ ନଭେମ୍ବର ୧୩ ତାରିଖରେ ସ୍ତ୍ରୀ ବିନ୍ଦୁମତୀଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ସାନ ଝିଅକୁ ବର୍ଷେ ହେଉଥାଏ। ୪ ଝିଅକୁ ଏକାକି ଛାଡ଼ି ନିଜ କର୍ମକ୍ଷେତ୍ରକୁ ଫେରିଯିବା ସମ୍ଭବ ହୋଇନଥିଲା। ଏଭଳି ସ୍ତ୍ରୀକୁ ହରାଇ ଭାଙ୍ଗି ପଡ଼ିଥିଲେ। ୪ ଝିଅର ଲାଲନ ପାଳନ କେମିତି କରିବେ ସେହି ଚିନ୍ତାରେ ଦିନ ରାତି ଘାରି ହେଉଥାନ୍ତି। ଶେଷରେ ୨୦୧୬ ଜୁଲାଇ ୨୧ ତାରିଖରେ ପୁନଃ ନିଜ କାର୍ୟ୍ୟକ୍ଷେତ୍ରରେ ଯୋଗ ଦେଇଥିଲେ। ସେଠାରେ ବର୍ଷେ ଧରି ପୁଣି ନିଷ୍ଠାପର ଭାବେ ନିଜ ଦାୟିତ୍ୱ ସମ୍ପାଦନା କରିଥିଲେ ବି ତାଙ୍କୁ କୌଣସି ଦରମ ମିଲିନଥିଲା। ଗତ ୨୦୧୭ ଅକ୍ଟୋବର ୨୩ ତାରିଖରେ ଚାକିରିରୁ ଅବସର ନେଇ ଘରକୁ ଫେରି ଆସି ଥିଲେ।

ଚନ୍ଦୁରାମଙ୍କ ୪ ଝିଅ ମାଙ୍କୁ ହରାଇ ଅସହାୟ ହୋଇ ପଡ଼ିଥିଲେ। ଗୋଟିଏ ପଟେ ପେନସନ ମିଲୁନଥିଲା। ଅନ୍ୟପଟେ ସ୍ତ୍ରୀକୁ ହରାଇ ଭାଙ୍ଗି ପଡ଼ିଥାନ୍ତି। ଏଭଳି ସ୍ଥିତିରେ ୪ ଝିଅର ପାଠପଢା ସହ ପରିବାର ଚଳାଇବାର ବୋଝ। ତଥାପି ଚନ୍ଦୁରାମ ହାର ମାନିନଥିଲେ। ଯେମିତି ହେଲେ ବି ଝିଅକୁ ପାଠ ପଢାଇ ମଣିଷ କରିବେ। ଶେଷରେ ଦିନ ମଜୁରିଆ କାମ କରିବାକୁ ବାହାରିଥିଲେ। ହାତରେ ରଫା, କୋଦାଳି ଧରି ଅନ୍ୟର ଘରେ କୁଲି ମଜୁରି କରିବାକୁ ଯାଇଥିଲେ। ଏବେ ୩ ବର୍ଷ ହେବ ଦିନ ମଜୁରିଆ ଭାବେ ଖଟି ୩ ଝିଅକୁ ପାଠ ପଢ଼ାଉଛନ୍ତି। ଦ୍ୱିତୀୟ ଝିଅ ଶିବାନୀ ଯୁକ୍ତ ଦୁଇ, ତୃତୀୟ ଝିଅ ମନିକା ଭେରା ସ୍ଥିତ ପଲିଟେକନିକ୍‌ କଲେଜରେ ସିଭିଲ ଇଞ୍ଜିନିୟରିଂ ଓ ସାନ ଝିଅ ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏବେ ଝିଅ ମାନଙ୍କୁ ଭଳ ପାଠ ପଢ଼ାଇ କେମିତି ବଡ଼ ମଣିଷ କରିବେ, ସେହି ଚିନ୍ତା ଚନ୍ଦୁରାମକୁ ଘାରୁଛି। ନୂଆପଡ଼ା ସହର ସମେତ ଆଖପାଖ ଗାଁରେ ଲୋକଙ୍କ ଘର ତିଆରି କାମରେ ନିୟୋଜିତ ହୁଅନ୍ତି। ସନ୍ଧ୍ୟା ହେଲେ ଯାହା ମଜୁରି ମିଳେ, ସେଥିରେ ରାସନ କିଣି ଘରକୁ ନେଇଥାନ୍ତି। ସେଥିରୁ କିଛି ସଂଚୟ କରି ଝିଅଙ୍କୁ ପାଠ ପଢ଼ାଉଛନ୍ତି। ୩ ଝିଅ ପାଠପଢ଼ାରୁ ସମୟ ବାହାର କରି କୁଲି ମଜୁରି କାମ କରି ନିଜ ପାଠ୍ୟ ଉପକରଣ କିଣିଥାନ୍ତି।

ଏଭଳି ଅବସର କାଳୀନ ପେନସନ ପାଇଁ ଅନେକ ଥର ଆବେଦନ କରିଥିଲେ ବି କୌଣସି ସୁଫଳ ମିଲିନାହିଁ। କେବେ ତାଙ୍କ ପେନସନ ଟଙ୍କା ମିଲିବ, ସେହି ଆଶାରେ ଚନ୍ଦୁରାମ ଦିନ ଗଣୁଛନ୍ତି। ତେବେ ତୁରନ୍ତ ଚନ୍ଦୁରାମଙ୍କୁ ପେନସନ ଯୋଗାଇ ଦେବା ଦିଗରେ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚନ୍ଦୁରାମ ଅନୁରୋଧ କରିଛନ୍ତି। ଏନେଇ ଜିଲାପାଳ ସ୍ୱଧାଦେବ ସିଂଙ୍କୁ ପଚାରିବାରୁ, ଆପଣଙ୍କ ଠାରୁ ଏହି ଖବର ପାଇଛୁ। ତାଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଛନ୍ତି।

Comments are closed.