ସ୍ବପ୍ନାଦେଶରେ ମିଳିଲାଣି ୨ ମାସରେ ୩ ମୂର୍ତ୍ତି

ଭବ୍ୟମନ୍ଦିର ନିର୍ମାଣ ଦାବି କରୁଛନ୍ତି ଗ୍ରାମବାସୀ

ନୂଆପଡ଼ା : ଦୁଇମାସ ତଳେ ସ୍ବପ୍ନାଦେଶରେ ମିଳିଥିଲା ଶିବ-ପାର୍ବତୀଙ୍କ ସୁବର୍ଣ୍ଣମୂର୍ତ୍ତି। ଏହା ପରେ ମିଳିଲା ମା’ ଦୁର୍ଗାଙ୍କ ମୂର୍ତ୍ତି ଏବଂ ଆଜି ମିଳିଛି ବଜରଙ୍ଗବଲୀଙ୍କ ମୂର୍ତ୍ତି। ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଦେଧରା ପଞ୍ଚାୟତ ଧଅଁରାଭଟା ଗ୍ରାମରେ ଗତ ୨ ମାସ ମଧ୍ୟରେ ମିଳିଲାଣି ୩ଟି ମୂର୍ତ୍ତି। ଗ୍ରାମବାସୀଙ୍କ କହିବାନୁସାରେ ଗ୍ରାମର ମନ୍ଦିର ପୂଜକ ଚନ୍ଦ୍ରମଣି ଧରୁଆଙ୍କୁ ହୋଇଥିବା ସ୍ବପ୍ନାଦେଶ ଅନୁସାରେ ନିର୍ଦିଷ୍ଟ ସ୍ଥାନରେ ଖୋଜା ​‌ଖୋଜି କରିବାପରେ ଏହି ସବୁ ମୂର୍ତ୍ତି ମିଳିଛି। ତେବେ ସ୍ବପ୍ନାଦେଶ ବଳରେ ଏହି ୩ ମୂର୍ତ୍ତି ମିଳିଥିବାରୁ ଗ୍ରାମବାସୀଙ୍କ ଆସ୍ଥା ବଢିଯାଇଛି ଏବଂ ସେମାନେ ଏକ ଭବ୍ୟମନ୍ଦିର ନିର୍ମାଣ ଦାବି କରୁଛନ୍ତି।
ମନ୍ଦିର ପୂଜାରୀ ଚନ୍ଦ୍ରମଣି ଧରୁଆଙ୍କ କହିବାନୁଯାୟୀ, ୧୫ ବର୍ଷ ତଳେ ଜଣେ ବାବାଙ୍କ ଆଦେଶକ୍ରମେ ଗ୍ରାମବାସୀ ଏକ ଲିଙ୍ଗ ସ୍ଥାପନକରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପରେ ତିନିଜଣ ଯୁବକଙ୍କ ଠାରେ ମା’ ସମଲେଶ୍ୱରୀ, ମା’ ସନ୍ତୋଷୀ ଏବଂ ବୀର ବଜରଙ୍ଗବଳୀଙ୍କ କାଳେସି ଆସି ଲୋକଙ୍କ ଗୁହାରିଶୁଣି ସେମାନଙ୍କ ସମସ୍ୟା ସମାଧାନ କଲେ। ପ୍ରତି ସୋମବାର ଏଠାକୁ ବିଭିନ୍ନରୋଗରେ ପୀଡ଼ିତ, ନିଃସନ୍ତାନ, ଘରୋଇକଳହରେ ବ୍ୟତିବ୍ୟସ୍ତ ଲୋକେ ଜିଲାର ବିଭିନ୍ନସ୍ଥାନରୁ ଏଠାକୁ ଆସି ଠାକୁରଙ୍କୁ ଗୁହାରି କରନ୍ତି। ଅନେକଙ୍କ ସମସ୍ୟା ସମାଧାନ ହୋଇଯିବାରୁ ଧିରେ ଧିରେ ଠାକୁରଙ୍କ ପ୍ରତି ଲୋକଙ୍କ ବିଶ୍ବାସ ବଢିଲା ଏବଂ ପ୍ରତି ସୋମବାର ଏଠାରେ ପ୍ରବଳ ଭିଡ ହେଉଛି। ଗତ ଅଗଷ୍ଟ ଶେଷ ସପ୍ତାହରେ ଏଠାକାର ପୂଜକ ଶ୍ରୀ ଧରୁଆଙ୍କୁ ମା’ଙ୍କ ସ୍ବପ୍ନାଦେଶ ହୋଇ ଏଠାରେ ମୂର୍ତ୍ତି ସ୍ଥାପନାକରି ମନ୍ଦିର ନିର୍ମାଣ ପାଇଁ ନିର୍ଦେଶଦେଲେ। ଉକ୍ତ ତିନିଯୁବକଙ୍କ ଠାରେ କାଳେସି ଆସି ୮ଖଣ୍ଡ ଗାଁଲୋକଙ୍କୁ ଠୁଳ କଲେ ମୂର୍ତ୍ତି କେଉଁଠୁ ମିଳିବ ବୋଲି ଜଣାଇଲେ। ତେଣୁ ୮କଣ୍ଡ ଗାଁର ଲୋକ ମିଶି ନିକଟସ୍ଥ ପଟିଡଙ୍ଗର ପାହାଡକୁ ଯାଇ ସେଠାରେ ପୂଜର୍ଚ୍ଚନା କରିଥିଲେ। କାଳେସି ଆସି ପାହାଡର ଏକ ସ୍ଥାନକୁ ଦେଖାଇଥିଲେ, ଯେଉଁଠାରେ କେବଳ ହାତରେ ଉଖାରି ଦେବାରୁ ଶିବପାର୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ଚତୁର୍ଦ୍ଧାମୂର୍ତ୍ତି ମିଳିଥିଲା। ଉକ୍ତ ମୂର୍ତ୍ତିକୁ ଗ୍ରାମକୁ ପାଛୋଟି ଆଣି ଗ୍ରାମବାସୀ ପୂଜାର୍ଚ୍ଚନା କରୁଛନ୍ତି। ଏହି ମୂର୍ତ୍ତିପୂଜା ସ୍ଥାନ ନିକଟରେ ଏକ ଉଈହୁଙ୍କା ରହିଛି। ଗତ ନଭେମ୍ବର ୧୧ ତାରିଖ ଉକ୍ତ ଉଈହୁଙ୍କାରେ ମା’ ଦୁର୍ଗା ରହିଛନ୍ତି ବୋଲି ପୂଜକ ଶ୍ରୀ ଧରୁଆଙ୍କୁ ସ୍ବପ୍ନାଦେଶ ହେଲା। ସକାଳୁ ଆସି ସେ ଉଈହୁଙ୍କା ଭାଙ୍ଗିଦେବାରୁ ତା’ ଭିତରୁ ମା’ ଦୁର୍ଗାଙ୍କ ମୂର୍ତ୍ତି ମିଳିଥିଲା। ପୁଣି ଶ୍ରୀ ଧରୁଆଙ୍କୁ ସ୍ବପ୍ନାଦେଶ ଅନୁସାରେ ଆଜି ଗ୍ରାମପୋଖରୀ ମଧ୍ୟରୁ ବୀର ବଜରଙ୍ଗବଳୀଙ୍କ ପଥରମୂର୍ତ୍ତି ମିଳିଛି। ଏହା ୧୦ ଇଞ୍ଚ ଉଚ୍ଚର ଏବଂ ୫ ଇଞ୍ଚ ମୋଟେଇର ଥିବା ଦେଖାଯାଇଛି।
ପ୍ରଥମେ ମିଳିଥିବା ଶିବ-ପାର୍ବତୀ ଓ ଦୁର୍ଗାମୂର୍ତ୍ତିଟି ସୁନାର ବୋଲି ଯାହା କୁହାଯାଉଛି ସେନେଇ କୌଣସି ପରୀକ୍ଷା କରାଯାଇଛି କି ବୋଲି ପୂଜକ ଶ୍ରୀ ଧରୁଆଙ୍କୁ ପଚାରିବାରୁ ମା’ ନିଜେ ପ୍ରସନ୍ନହୋଇ ଆଦେଶ ଦେଇଛନ୍ତି, ତେଣୁ ପରୀକ୍ଷା କରିବାର କ’ଣ ପ୍ରୟୋଜନ ଅଛି ? ଆମେ ସରକାରଙ୍କୁ ଲିଖିତ ଜଣାଇ ଦେଇଛୁ। ତେଣୁ ସରକାରୀ ଅଧିକାରୀମାନେ ଆସି ଏହାର ପରୀକ୍ଷା କରାଇ ନିଅନ୍ତୁ। ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଆମେ ଦାବି କରୁଛୁ ବୋଲି ସେ କହିଥିଲେ। ଧଅଁରାଭଟା ଗ୍ରାମ ସହ ଆଖପାଖ ୮ଖଣ୍ଡ ଗାଁବାସୀଙ୍କ ଆସ୍ଥା ଓ ବିଶ୍ବାସ ଜନ୍ମ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ଏକ ଭବ୍ୟମନ୍ଦିର ନିର୍ମାଣ କରାଯାଇ ମାଟି ଭିତରୁ ମିଳିଥିବା ମୂର୍ତ୍ତିଗୁଡିକୁ ସେଠାରେ ରଖି ପୂଜା କରିବାକୁ ବୁଦ୍ଧିଜୀବୀମହଲରେ ଦାବି ହେଉଛି।

Comments are closed.