ମଣିଷ ସହ ମାଟି ମା’ ଓ ପ୍ରକୃତିର ଅନାବିଳ ସମ୍ପର୍କର ସନ୍ତକ, ଆଦ୍ୟପର୍ବ ନୂଆଖାଇ

ରେଙ୍ଗାଲି: ସୃଷ୍ଟି ସର୍ଜନା କାଳରୁ ମାଟି ଏବଂ ପ୍ରକୃତି ସହିତ ମଣିଷର ଅତି ନିବିଡ ସମ୍ପର୍କ ରହିଛି। ପ୍ରକୃତି ରୁ ଉତ୍ପାଦିତ ଶସ୍ୟ ଫଳ,ମୂଳ ହିଁ ମଣିଷକୁ ବଞ୍ଚିରହିବାର ଖୋରାକ୍‍ ଯୋଗାଇବା ସହିତ ଜୀବନ ଜୀବିକା ମଧ୍ୟ ଯୋଗାଇ ଥାଏ। ବେଦ ପୁରାଣ କହେ ଅନ୍ନ ହେଉଛି ସୃଷ୍ଟିର ମୂଳ ଆଧାର ଏବଂ ପୂର୍ଣବ୍ରହ୍ମ ସ୍ୱରୂପ। ଅନ୍ନ ବିନା ଜୀବ ଜଗତ୍‍ ତିଷ୍ଠି ରହିବା ସମ୍ପୂର୍ଣ ଅସମ୍ଭବ। ବେଦ, ପୁରାଣ ଏବଂ ଉପନିଷଦମାନଙ୍କରେ ଅନ୍ନର ମହିମା ବର୍ଣିତ ଅଛି।

ଶ୍ରୀମଦ୍‍ ଭାଗବତରେ ଅତିବଡି ଜଗନ୍ନାଥ ଦାସ ଅନ୍ନର ମହିମା ବର୍ଣନା କରିବାକୁ ଯାଇ କହିଛନ୍ତି “ଅନ୍ନ ବିହୁନେ ଆୟୁଷ ହାନି ଯୋଗ ସାଧିବୁ କାହା ଘେନି”। ସୃଷ୍ଟି ସର୍ଜନା କାଳରୁ ଅନ୍ନ ପୂଜାର ବିଧି ପ୍ରଚଳିତ ହୋଇ ଅସୁଛି। ଧରିତ୍ରି ମା’ କୋଳରୁ ଉତ୍ପାଦିତ ଅନ୍ନକୁ ଦେବୀ ଦେବତାମାନଙ୍କ ନିକଟରେ ପ୍ରଥମେ ସମର୍ପଣ କରିବା ପରେ ନୂତନ ଅନ୍ନକୁ ସପରିବାର ଭୋଜନ କରିବାର ପରମ୍ପରାକୁ ନୂଆଖାଇ ବୋଲି ଅଭିହିତ କରାଯାଇଛି। ନୂଆଖାଇ ସୃଷ୍ଟିର ଆଦ୍ୟ ଗଣପର୍ବ ବୋଲି କୁହାଯାଏ। ପଶ୍ଚିମ ଓଡିଶାରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ଦୁଃଖି ରଙ୍କିଠାରୁ ଆରମ୍ଭ କରି ଧନବାନ୍‍ ଏହି ପର୍ବକୁ ପାଳନ କରିଥାନ୍ତି। ଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରୁଥିବା ଏହି ପର୍ବ ସମସ୍ତଙ୍କୁ ଏକତା ର ସୁତ୍ରରେ ବାନ୍ଧି ରଖିବାର ବାର୍ତ୍ତା ଦେବା ସହିତ ଶ୍ରଦ୍ଧା, ସମ୍ମାନ, ଭାଇଚାରା ଭାବନାକୁ ସମୃଦ୍ଧ କରିଆସୁଛି। ଯିଏ ଯେତେଏ ଦୁରରେ ଥାଉ ନା କାହିିଁକି ନୂଆଖାଇ ଡାକରାରେ ନିଜ ଜନ୍ମମାଟିକୁ ଫେରି ଆସେ। ମା’ ମାଟିର ଆକର୍ଷଣ ଟାଣି ଆଣେ ଦୂରଦୂରାନ୍ତରେ ରହୁଥିବା ସେଇ ମାଟିର ସନ୍ତାନକୁ।

ଏହା ହେଉଛି ଏହି ପର୍ବର ଏକ ସ୍ୱତନ୍ତ୍ର ଆକର୍ଷଣ। କୃଷି ଏବଂ କୃଷକମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବା ଏହି ପର୍ବର ପୂର୍ବଦିନରୁ ଗାଁର ଝାଙ୍କର ଗ୍ରାମ୍ୟ ଦେବୀଦେବତାମାନଙ୍କ ପୀଠରେ ପୂଜା ଅର୍ଚ୍ଚନା କରି ନୂଆ ଧାନ ସମର୍ପଣ କରିବା ପରେ ଘରଘର ବୁଲି ନୂଆ ଧାନ କେଣ୍ଡା ଘରର ପ୍ରତ୍ୟେକ ଚୌକାଠରେ ଝୁଲାଇବା ପରମ୍ପରା ଆଦ୍ୟ କାଳରୁ ରହି ଆସିଛି। ଏହାକୁ ଶିଶା ଚଢା ବୋଲି ଲୋକେ ଆଖ୍ୟାୟିତ କରାଯାଇଛି।

ଝାଙ୍କର ଶିଶା ଚଢାଇବା ପରେ ପ୍ରତ୍ୟେକ ଘରରୁ ଝାଙ୍କରକୁ ଅଢିଆ ଖର୍ଚ୍ଚା ଦିଆଯାଇଥାଏ। ଏହାପରେ ନୂଆଖାଇ ଦିନ ସକାଳୁ ଚାଷୀ ସ୍ନାନ ଶୌଚ ସାରି ଧାନ ବିଲକୁ କ୍ଷେତ ଚରୁ ଅର୍ଥାତ୍‍ ଚାଷ ଜମିରେ କ୍ଷୀର ଢାଳି ପୂଜା ଅର୍ଚ୍ଚନା କରିବାର ବିଧି ମଧ୍ୟ ଆଦ୍ୟ କାଳରୁ ଅଦ୍ୟାବଧି ପ୍ରଚଳିତ ଅଛି। ଯୁଗ ବଦଳି ଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହି ପ୍ରାଚୀନ ପରମ୍ପରା ବଜାୟ ରହିଛି। ନୁଆଖାଇ ପର୍ବରୁ ମିତ, ମହାପ୍ରସାଦ, ମକର ଆଦି ମୈତ୍ର ଘରକୁ ଚାଉଳ, ଡାଲି, ପନିପରିବା, ଘିଅ, ସୂଜି, ସିମେଇ ଆଦି ଅଢିଆ /ଖର୍ଚ୍ଚା ଆଦାନ ପ୍ରଦାନର ମଧ୍ୟ ଏକ ଅଭିନବ ପରମ୍ପରା ରହିଛି। ଧନୀ ଦରିଦ୍ର ଦୁଃଖୀ ରଙ୍କି ସମସ୍ତଙ୍କୁ ଏକତା ସୁ୍‍ତ୍ର ରେ ବାନ୍ଧି ରଖିଥିବା ଏହି ଗଣପର୍ବ ପରସ୍ପର ମଧ୍ୟରେ ରହିଥିବା ମନୋମାଳିନ୍ୟ ଦୂର କରିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ।

ନୂଆଖାଇ ଗୁରୁଜନମାନଙ୍କୁ ସମ୍ମାନ ଓ ଶିଷ୍ଟାଚାର ଆଦାନ ପ୍ରଦାନର ପ୍ରାଚୀନ ଭାରତିୟ ପରମ୍ପରାର ବାର୍ତ୍ତା ବହନ କରିଆସୁଛି। ଗାଁରୁ ଜନ୍ମ ନେଇଥିବା ଏହି ଗଣପର୍ବ ସହର ଏବଂ ନଗର ଏପରିକି ମହାନଗରକୁ ପହଞ୍ଚି ସାରିଲାଣି। ହାଇଟେକ୍‍ ସଂସ୍କୃତି ଅନୁପ୍ରବେଶ ସତ୍ତେ୍ୱ ନୂଆଁଖାଇ ପର୍ବ ତା’ର ସ୍ଥିତି ଏବଂ ସ୍ୱତନ୍ତ୍ରତାକୁ ବହୁ ମାତ୍ରାରେ ବଜାୟ ରଖିଛି।

Comments
Loading...