ଜାନୁଆରୀ ୬କୁ ଘୁଞ୍ଚିଲା ନିଟ୍‌ ଆବେଦନ

ଭୁବନେଶ୍ବର: ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ‘ନିଟ୍‌’ (ୟୁଜି)ନିମନ୍ତେ ଚାଲିଥିବା ଅନଲାଇନ୍ ଆବେଦନ ତାରିଖକୁ ଜାନୁଆରୀ ୬ ଯାଏ ବଢାଇ ଦିଆଯାଇଛି। ପୂର୍ବରୁ ଏହି ତାରିଖ ୨ ଡିସେମ୍ବରରୁ ୩୧ ଡିସେମ୍ବର ଥିଲା। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କରି ନ୍ୟାସ୍‌ନାଲ ଟେଷ୍ଟ୍ରିଂ ଏଜେନ୍ସି(ଏନ୍‌ଟିଏ)ଆବେଦନ ଶେଷ ତାରିଖକୁ ଘୁଞ୍ଚାଇଛନ୍ତି। ଛାତ୍ରଛାତ୍ରୀ ଜାନୁଆରୀ ୬ ରାତି ୧୧ଟା ୫୦ ମିନିଟ୍‌ ମଧ୍ୟରେ ଫର୍ମ ଆବେଦନ କରିପାରିବେ। ଜାନୁଆରୀ ୭ ରାତି ୧୧ଟା ୫୦ ମିନିଟ ସୁଦ୍ଧା ଫି’ ଦାଖଲ କରିବେ ଛାତ୍ରଛାତ୍ରୀ। ଆବେଦନ କଲାବେଳେ ଫର୍ମରେ କୌଣସି ତ୍ରୁଟି ଥିଲେ ଛାତ୍ରଛାତ୍ରୀ ୧୫ରୁ ୩୧ ଜାନୁଆରୀ ରାତି ୧୧ଟା ୫୦ ମିନିଟ ମଧ୍ୟରେ ସଂଶୋଧନ କରିପାରିବେ।
ସେହିଭଳି ଜମ୍ମୁକାଶ୍ମୀର, ଲେହ ଏବଂ କାରଗିଲ ଅଞ୍ଚଳର ଛାତ୍ରଛାତ୍ରୀ ଅଫ୍‌ଲାଇନରେ ନିଟ୍‌ ଫର୍ମ ଆବେଦନ କରିବେ। ଏହାର ଶେଷ ତାରିଖ ୧୭ ଡିସେମ୍ବର ରହିଛି। ଛାତ୍ରଛାତ୍ରୀ ନୋଡାଲ ସେଣ୍ଟରକୁ ଯାଇ ଫର୍ମ ଦାଖଲ କରିବାକୁ ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

Comments are closed.