ଦିଲ୍ଲୀ ପରେଡରେ ସାରା ବିଶ୍ୱ ଦେଖିବ “ନୃତ୍ୟାୟନ”ର ନୃତ୍ୟ ନୈବେଦ୍ୟ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ ଏଥର ସାରା ବିଶ୍ୱ ଦେଖିବ “ନୃତ୍ୟାୟନ” ଛାତ୍ରୀଙ୍କ ଓଡିଶୀ ନୃତ୍ୟ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବାକୁ ଥିବା “ବନ୍ଦେ ଭାରତଂ ନୃତ୍ୟ ମହୋତ୍ସବ- ୨୦୨୩”ରେ ନୃତ୍ୟାଚାର୍ଯ୍ୟ ଗୁରୁଶ୍ରୀ ଦୁର୍ଗାଚରଣ ରଣବୀରଙ୍କ ନିର୍ଦେଶନାରେ ଏହି ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିବେ।ଗତ ଜାନୁଆରୀ ୫ ତାରିଖରୁ ନୃତ୍ୟ ଶିଳ୍ପୀମାନେ ଦିଲ୍ଲୀ ଯାଇ ଦୀର୍ଘ ୨୧ ଦିନ ଧରି ନୃତ୍ୟ ତାଲିମ ନେବା ପରେ ପରେଡରେ ଅଂଶ ଗ୍ରହଣ କରିବେ । ଗୁରୁଶ୍ରୀ ଦୁର୍ଗାଚରଣ ରଣବୀରଙ୍କ ମାର୍ଗଦର୍ଶନ ତଥା ଗୁରୁ ଗାୟତ୍ରୀ ରଣବୀର ଏବଂ ଗୁରୁ ମନୋଜ ପ୍ରଧାନଙ୍କ ତତ୍ୱାବଧାନରେ ଶିଳ୍ପୀ ମାନସୀ ମାଇତି, ମେଘନା ମହାନ୍ତି, ଭିଦିଶା ବସୁମଲ୍ଲିକ ଏବଂ ରୋହିଣୀ ସାମଲ ପ୍ରମୁଖ ନିଜର ପ୍ରତିଭା ଦେଖାଇବେ।
ଶିଳ୍ପୀ ମାନେ ପ୍ରଥମେ ଜିଲ୍ଲାରୁ ରାଜ୍ୟ ତା’ପରେ ଜୋନାଲ ସ୍ତରରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିଲେ। ପୁନଃ ଦିଲ୍ଲୀରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେଲା ପରେ ଦିଲ୍ଲୀ ପରେଡରେ ନୃତ୍ୟ ପରିବେଷଣ ପାଇଁ ମନୋନୀତ ହୋଇଛନ୍ତି। ଦେଶର ବଛାବଛା ପାଞ୍ଚ ଶହ କଳାକାର ଏଇ ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। “ନୃତ୍ୟାୟନ” ଓଡିଶୀ ନୃତ୍ୟାନୁଷ୍ଠାନର ଶିଳ୍ପୀ ମାନେ ଦେଶର ସର୍ବଶ୍ରେଷ୍ଠ ମଞ୍ଚରେ ନୃତ୍ୟ ପରିବେଷଣ କରିବେ। ସମଗ୍ର ବିଶ୍ୱବାସୀ ଦେଖିବେ ଆମ ଓଡିଶୀ ନୃତ୍ୟ କଳା। ନୃତ୍ୟାୟନ ପାଇଁ ଏହା ନିଶ୍ଚିତ ଭାବେ ଗର୍ବର କଥା ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଥିଲେ ।
Comments are closed.