ଝୁରୁଛନ୍ତି ୨୦ହଜାର କନ୍ୟା

0

ନୂଆଦିଲ୍ଲୀ : ଝିଅକୁ ବିଦେଶରେ ଚାକିରି କରିଥିବା ବରପାତ୍ର ସହ ବିବାହ କରାଇ ତା’ର ସୁଖଦ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ପିତାମାତାମାନେ ସତର୍କ ହେବାର ସମୟ ଆସିଯାଇଛି। ଏକ ଆକଳନ ଅନୁସାରେ, ଏବେ ଦେଶରେ ଏନ୍‍ଆର୍‍ଆଇ ବରଙ୍କୁ ବିବାହ କରିଥିବା ଏପରି ୨୦ହଜାରରୁ ଊର୍ଦ୍ଧ୍ବ ଯୁବତୀ ଅଛନ୍ତି ଯେଉଁମାନେ ଦ୍ୱିତୀୟ ଥର ପତିଙ୍କୁ ଦେଖିବାର ସୁଯୋଗ ପାଇନାହାନ୍ତି। ସୁଖମୟ ଭବିଷ୍ୟତ ବଦଳରେ ସେମାନଙ୍କ ଜୀବନ ଅନ୍ଧକାରାଚ୍ଛନ୍ନ ହୋଇଯାଇଛି। ବିବାହ ପରେ ମଧୁଚନ୍ଦ୍ରିକା ସାରି ବିଦେଶ ପଳାଇ ଯାଉଥିବା ଏନ୍‍ଆର୍‍ଆଇମାନଙ୍କ ବର୍ଦ୍ଧିଷ୍ଣୁ ସଂଖ୍ୟା ଦେଖି ବୈଦେଶିକ ମନ୍ତ୍ରାଳୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଷ୍ପତ୍ତି ନେଇଛି। ବିଭାଗର ୱେବ୍‍ସାଇଟରେ ସେମାନଙ୍କ ଫଟୋ ରଖାଯିବା ସହିତ ସେମାନଙ୍କୁ ସମନ୍‍ ପଠାଯିବାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ଏ ସଂକ୍ରାନ୍ତ ପୀଡିତ ମହିଳାମାନଙ୍କୁ ନ୍ୟାୟ ଦେବା ସକାଶେ ବିବାହ ଅଧିନିୟମ, ପାସପୋର୍ଟ ଅଧିନିୟମ ତଥା ଫୌଜଦାରୀ ଆଇନ୍‍ରେ ପରିବର୍ତ୍ତନ ପାଇଁ ବ୍ୟବସ୍ଥା କରୁଛନ୍ତି। ୨୦୧୫ ଜାନୁଆରୀ ମାସରୁ ୨୦୧୭ ମସିହା ନଭେମ୍ବର ମାସ ମଧ୍ୟରେ ୧୦୬୪ ଦିନରେ ବୈଦେଶିକ ମନ୍ତ୍ରାଳୟ ନିକଟରେ ଏ ସମ୍ପର୍କିତ ୩୩୨୮ଟି ଅଭିଯୋଗ ପହଞ୍ଚିଥିବା ଜଣାଯାଇଛି। ଏଗୁଡିକ ମଧ୍ୟରୁ ଅଧିକାଂଶ ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରୁ ଆସିଥିବା ବେଳେ ତୃତୀୟ ସ୍ଥାନରେ ଗୁଜରାଟ ରହିଛି।

Leave A Reply