‘ପଶ୍ଚିମବଙ୍ଗରେ ଲାଗୁ ହେବ ଏନ୍‌ଆରସି’

କଲକାତା : ପ୍ରତ୍ୟେକ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ପଶ୍ଚିମବଙ୍ଗରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପଶ୍ଚିମବଙ୍ଗରେ ଏନଆରସି ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ ମନା କରିଥିବାବେଳେ ଶାହା ଏହାକୁ ଲାଗୁ କରିବା ଲାଗି ଦୃଢତାର ସହ କହିଛନ୍ତି। ତେବେ ଏନଆରସି ଲାଗୁ ପୂର୍ବରୁ ନାଗରିକ (ସଂଶୋଧନ) ବିଧେୟକକୁ ସଂସଦରେ ଗୃହୀତ କରାଯିବ ବୋଲି ଶାହା କହିଛନ୍ତି। ନାଗରିକ ସଂଶୋଧନ ବିଧେୟକ ଅନୁଯାୟୀ ସମସ୍ତ ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ବିବାଦୀୟ ଏନଆରସି ପ୍ରସଙ୍ଗରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଭାଗ ନେଇ ମଙ୍ଗଳବାର ଶାହା କହିଛନ୍ତି ଯେ ‘ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଏନଆରସିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। ମଁୁ ପ୍ରତିଶ୍ରୁତି ଦେଉଛି ଏନଆରସି ଲାଗୁ ସତ୍ତ୍ବେ କୌଣସି ହିନ୍ଦୁ, ବୌଦ୍ଧ, ଶିଖ ଓ ଜୈନ ଶରଣାର୍ଥୀଙ୍କୁ ଦେଶରୁ ବିତାଡିତ କରାଯିବ ନାହିଁ। ସେମାନଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ ଓ ଭାରତୀୟ ହିସାବରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ।’ ମମତା ଦିଦି କହୁଛନ୍ତି ଯେ ବେଙ୍ଗଲରେ ଏନଆରସି ଲାଗୁ ହେବ ନାହିଁ; ମାତ୍ର ଆମେ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିତାଡିତ କରିବୁ। ମମତା ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳେ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଦାବି କରୁଥିଲେ। ଏବେ ଏହି ଅନୁପ୍ରବେଶକାରୀମାନେ ମମତାଙ୍କର ଭୋଟର ହୋଇଛନ୍ତି; ତେଣୁ ତାଙ୍କୁ ବିତାଡିତ କରିବାକୁ ସେ ଚାହଁୁ ନାହାନ୍ତି। ୨୦୦୫ ଅଗଷ୍ଟ ୪ରେ ମମତା ଅନୁପ୍ରବେଶକାରୀଙ୍କୁ ହଟାଇବା ନେଇ​‌ ଦେଇଥିବା ଭାଷଣକୁ ଶାହା ମନେ ପକାଇଦେଇଛନ୍ତି। ଶାହା କହିଛନ୍ତି ଯେ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଜାତୀୟ ସ୍ବାର୍ଥକୁ ବଳି ଦିଆଯାଇପାରିବ ନାହିଁ। ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ। ଗତ ମାସରେ ମମତା ଦିଲ୍ଲୀରେ ଶାହାଙ୍କୁ ଭେଟିବା କାଳରେ ଆସାମରେ ଏନଆରସି ଲାଗୁ କରିବା ନେଇ ଆପତ୍ତି ଉଠାଇଥିଲେ। ସେହିପରି ସେପ୍ଟେମ୍ବର ୧୨ରେ ମମତା ଏନଆରସିକୁ ବିରୋଧ କରି ଏକ ଶୋଭାଯାତ୍ରା କରିଥିଲେ ଓ ପଶ୍ଚିମବଙ୍ଗରେ ଏହାକୁ ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ତେବେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଥିଲେ ଯେ ରାଜ୍ୟରେ ଏନଆରସି ଲାଗୁ କରାଯିବ ଓ ଅନୁପ୍ରବେଶକାରୀଙ୍କୁ ବିତାଡିତ କରାଯିବ। ତେବେ ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧଙ୍କୁ କୌଣସି ପ୍ରକାରେ ବିତାଡିତ କରାଯିବ ନାହିଁ।

Comments are closed.