ଏନ୍‍ଆର୍‍ସି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ତଲବ

0

ନୂଆଦିଲ୍ଳୀ : ତ୍ରିପୁରାରେ ଅବୈଧ ଭାବେ ବସବାସ କରୁଥିବା ଶରଣାର୍ଥୀ ମାନଙ୍କୁ ଚିହ୍ନଟ କରିବାପାଇଁ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍‍ଆର୍‍ସି)କୁ କାର୍ଯ୍ୟକାରୀ କରିବା ପାଇଁ ଆଗତ ଏକ ଆବେଦନ ଉପରେ ସୁପ୍ରିମ୍‍କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‍ ଏସ୍‍.କେ. କୌଲ୍‍ ଏବଂ ଜଷ୍ଟିସ୍‍ କେ.ଏମ୍‍. ଯୋଶେଫ୍‍ଙ୍କ ଖଣ୍ଡପୀଠ ତ୍ରିପୁରା ପିପୁଲ୍‍ସ୍‍ ଫ୍ରଣ୍ଟ ପକ୍ଷରୁ ଆଗତ ଏକ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଗତ ଜୁଲାଇ ୩୦ ତାରିଖ ଦିନ କେନ୍ଦ୍ର ସରକାର ଆସାମର ଦ୍ୱିତୀୟ ଏନ୍‍ଆର୍‍ସି ତାଲିକା ପ୍ରକାଶ କରିଥିଲେ। ମୋଟ ୩ କୋଟି ୨୯ ଲକ୍ଷ ଲୋକଙ୍କ ମଧ୍ୟରୁ ୨ କୋଟି ୮୯ ଲକ୍ଷ ଲୋକଙ୍କ ନାମ ସେହି ତାଲିକାରେ ସ୍ଥାନ ପାଇଥିଲା।

ଆସାମ ପାଇଁ ପ୍ରଥମ ଏନ୍‍ଆର୍‍ସି ଚିଠା ତାଲିକା ଡିସେମ୍ବର ୩୧ ରାତି ଓ ଜାନୁୟାରୀ ୧ ତାରିଖ ମଧ୍ୟରେ ପ୍ରକାଶ ଯାଇଥିଲା। ବିଂଶ ଶତାବ୍ଦୀରେ ଆସାମକୁ ବହୁ ସଂଖ୍ୟାରେ ବାଂଲାଦେଶର ନାଗରିକ ଅବୈଧ ଭାବେ ଆସିଥିବାରୁ ୧୯୫୧ ମସିହାରେ ରାଜ୍ୟରେ ଜାତୀୟ ନାଗରିକ ପଞ୍ଜୀକରଣ ଆରମ୍ଭ ହୋଇଥିଲା।

Leave A Reply