ସାମ୍ପ୍ରଦାୟିକ ସଦ୍‍ଭାବ ନଷ୍ଟ କରୁଛନ୍ତି ନ୍ୟସ୍ତସ୍ୱାର୍ଥ ଲୋକ

0

ପେଶୱାର : ଆସାମର ଚିଠା ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ନେଇ କେତେକ ନ୍ୟସ୍ତ ସ୍ୱାର୍ଥ ଲୋକ ଅଯଥା ରାଜନୀତି କରୁଛନ୍ତି। ଏହା ଦ୍ୱାରା ସମାଜର ସାମ୍ପ୍ରଦାୟିକ ସଦ୍‍ଭାବ ନଷ୍ଟ ହେଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଯେ ଏନଆରସିକୁ ନେଇ ସମାଜରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ନ୍ୟସ୍ତସ୍ୱାର୍ଥ ଲୋକମାନେ ସାମାଜିକ ଗଣମାଧ୍ୟମ ଦ୍ୱାରା ଏହା ବିରୋଧରେ ପ୍ରଚାର ପ୍ରସାର କରୁଛନ୍ତି। ଏପରି କି ଏହି ପ୍ରସଙ୍ଗକୁ ଆନ୍ତର୍ଜାତିକୀକରଣ କରୁଛନ୍ତି। ଆସାମର ଚିଠା ଏନଆରସି ପ୍ରସଙ୍ଗରେ ରାଜନାଥ ରାଜ୍ୟସଭାରେ ଉତ୍ତର ଦେଇ କହିଛନ୍ତି ଯେ ଏନଆରସିରୁ କୌଣସି ଭାରତୀୟ ବାଦ୍‍ ପଡିବେ ନାହିଁ। କାରଣ ଏହା ସ୍ୱଚ୍ଛ ଓ ବସ୍ତୁନିଷ୍ଟ। ଏଥିରେ କୌଣସି ପ୍ରକାର ବାଛ ବିଚାର ନାହିଁ। ସେ କହିଛନ୍ତି ଯେ ଚିଠା ଏନଆରସି ପ୍ରକାଶ ପରେ ଆସାମରେ ଦେଖାଯାଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ଏଠାକୁ ସୁରକ୍ଷାକର୍ମୀ ପଠାଇଛନ୍ତି। ଆଇନଶୃଙ୍ଖଳା ସହିତ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟସଭାରେ ଏହି ପ୍ରସଙ୍ଗ ଆଲୋଚନା ବେଳେ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କହିବା ଲାଗି ସୁଯୋଗ ଦେଇଥିଲେ। ମାତ୍ର ସେ ଏହି ପ୍ରସଙ୍ଗରେ କିଛି କହିବାକୁ ମନା କରିଥିଲେ। ତେବେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଓ ଅଖଣ୍ଡତା ଉପରେ କୌଣସି ପ୍ରକାର ସାଲିସ କରାଯିବା ଉଚିତ ନୁହେଁ।
ଅନ୍ୟପଟେ ଆସାମ ପରିସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ତୃଣମୂଳ କଂଗ୍ରେସ ସାଂସଦଙ୍କୁ ବିମାନବନ୍ଦରରେ ଅଟକ ରଖାଯିବା ଓ ମାଡ଼ ମରାଯିବା ଅଭିଯୋଗ କରି ଦଳ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛି। ଏହି ନୋଟିସ ଉପରେ ଅଧ୍ୟକ୍ଷଙ୍କ ବିଚାର କରିବାର ଅଛି। ଅପରପକ୍ଷରେ ଆସାମ ପରିସ୍ଥିତି ଅନୁଧ୍ୟାନ ପାଇଁ ଯାଇ ବିମାନବନ୍ଦରରେ ଅଟକ ରହିଥିବା ତୃଣମୂଳ କଂଗ୍ରେସର ପ୍ରତିନିଧି ଦଳ ପଶ୍ଚିମବଙ୍ଗ ଫେରିଆସିଛନ୍ତି। ୮ଜଣିଆ ପ୍ରତିନିଧି ଦଳରୁ ୬ଜଣ ପ୍ରଥମ ଦଫାରେ ଫେରିଆସିଥିବାବେଳେ ସାଂସଦ ମମତବାଳା ଠାକୁର ଓ ଅର୍ପିତା ଘୋଷ ବିଳମ୍ବରେ ଫେରିଥିଲେ। ଗୁରୁବାର ତୃଣମୂଳ କଂଗ୍ରେସର ପ୍ରତିନିଧି ଦଳକୁ ବିମାନବନ୍ଦରରେ ଅଟକା ଯିବା ପରେ ସେମାନେ ସାରା ରାତି ବିତାଇଥିଲେ। ତୃଣମୂଳ କଂଗ୍ରେସ ପ୍ରତିନିଧିଙ୍କୁ ବିମାନବନ୍ଦରରେ ଅଟକ ରଖିବା ଓ ସେମାନଙ୍କୁ ପୁଲିସ ଠେଲପେଲା କରିବା ଅଭିଯୋଗକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Leave A Reply