ସରକାରୀ କାଗଜପତ୍ରରେ ଥିବା ପୋଖରୀ , ଏବେ ପାଲଟିଛି ଘାସଭର୍ତ୍ତି ପଡ଼ିଆ

ଶୁଆକାଟି : ବାଂଶପାଳ ବ୍ଲକରେ ଏମିତି ଅନେକ କାମ ହୁଏ ଯେଉଠିଁ କାଗଜ କହେ ଗୋଟେ କଥା ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଶୁଆକାଟି ସରକାରୀ ବାଳିକା ବିଦ୍ୟାଳୟ ଓ ଖେଳ ପଡିଆ ମଧ୍ୟରେ ଅନେକ ବର୍ଷ ତଳେ କେବେ ସରକାରୀ ହିସାବରେ ପୋଖରୀ ଖୋଳାହୋଇଥିଲା। ସେବେଠାରୁ ତିରିଶ ଚାଳିଶ ବର୍ଷରୁ ଅଧିକ ହେଲାଣି ଉକ୍ତ ସ୍ଥାନଟି ପାଣି ନ ଥିବା ଏକ ବିରାଟ ଖେଳପଡ଼ିଆ ଭଳି ଶୁଆକାଟି ମୁଖ୍ୟରାସ୍ତା କଡରେ ଅମରି ବଣ ହୋଇ ପଡିରହିଛି। ୧୯୯୦ ମସିହାରୁ ଏଠି ପାଣି ଥିବା କି ଗାଈଗୋରୁ ଗାଧୋଇବା କେହି ଦେଖିନାହାନ୍ତି। ତେଣୁ ଉକ୍ତ ସ୍ଥାନକୁ କଲ୍ୟାଣ ମଣ୍ଡପ କରିବାକୁ ସରପଞ୍ଚ ଓଡିଶା ଖଣି ନିଗମକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କାଗଜରେ ଏହା ଯେ ପୋଖରୀ ବୋଲି ଦର୍ଶାଯାଇ ଥିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ଶୁଆକାଟିର ଅନ୍ୟତମ ସମାଜସେବୀ ଅରୁଣ ବାରିକଙ୍କ ମତରେ ଗନ୍ଧମାର୍ଦନରୁ ସରକାର ଏତେ ରାଜସ୍ୱ ପାଉଥିଲେ ବି ଏଠାରେ ପାର୍କଟିଏ ବି ନାହିଁ। ଓଡିଶା ଖଣି ନିଗମ ଏହାକୁ ଏକ ଉଦ୍ୟାନରେ ପରିଣତ କଲେ ଜନସାଧାରଣ ଉପକୃତ ହୋଇପାରନ୍ତେ। ତେବେ ସୁଶାନ୍ତ ସାମଲଙ୍କ ମତରେ ଏହାକୁ ଏକ ଇନଡୋର ଷ୍ଟାଡିୟମ କରାଯାଇପାରନ୍ତା। ତେବେ ଶ୍ରାବଣ ମାସରେ ପାଣି ଟଟୋପେ ନଥିବା ଉକ୍ତ ଖାଲ ପ୍ରାୟ ଦୁଇ ଏକର ମୂଲ୍ୟବାନ ଯାଗାକୁ କଲ୍ୟାଣ ମଣ୍ଡପ, ପାର୍କ ଅଥବା ଷ୍ଟାଡିୟମ କରିବାକୁ ଅର୍ଥର ଅଭାବ ନାହିଁ। କେବଳ ପ୍ରଶାସନିକ ଅବହେଳାରୁ ଏହା ସମ୍ଭବ ହେଉନି।

Comments are closed.