ଅଦାଲତ ମାମଲାରେ ଜିତିଲେ ଜୋକୋଭିକ୍

ଭିସା ଫେରିପାଇଲେ; ଅଷ୍ଟ୍ରେଲିଆରେ ରହିପାରିବେ

ମେଲ୍‌ବୋର୍ଣ୍ଣ : ଟେନିସ କୋର୍ଟରେ ୨୦ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ସହ ପାଖାପାଖି ଶହେ ଟାଇଟଲ ବିଜୟୀ ହୋଇଥିବା ସର୍ବିୟାର ମହାନ୍ ଖେଳାଳି ଜୋକୋଭିକ୍‌ ସୋମବାର ଆଉ ଏକ ବିଜୟ ହାସଲ କରିଛନ୍ତି। ହେଲେ ଏହା ଟେନିସ୍‌ କୋର୍ଟରେ ନୁହେଁ; ଆଇନ୍‌ର କୋର୍ଟରେ। କୋଭିଡ୍‌-୧୯ ସ୍ବାସ୍ଥ୍ୟ ମାମଲାରେ ଅଷ୍ଟ୍ରେଲିଆ ସରକାର ଜୋକୋଭିକ୍‌ଙ୍କ ଭିସା ରଦ୍ଦକରିବା ସହ ତାଙ୍କୁ ଅଣପ୍ରବାସିକ କେନ୍ଦ୍ରରେ ଅଟକ ରଖା ଯାଇଥିଲା। ଏହାକୁ ବିରୋଧକରି ବିଶ୍ବର ୧ନଂ ପୁରୁଷ ଟେନିସ୍‌ ଖେଳାଳି ଜୋକୋଭିକ୍‌ ତାଙ୍କ ଓକିଲଙ୍କ ଜରିଆରେ ଅଦାଲତକୁ ଯାଇଥିଲେ। ସୋମବାର ଜୋକୋଭିକ୍‌ଙ୍କ ସପକ୍ଷରେ ବିଚାରପତି ରାୟ ଶୁଣାଇଛନ୍ତି। ଜୋକୋଭିକ୍‌ଙ୍କୁ ଭିସା ଫେରାଇଦେବା ସହ ତାଙ୍କୁ ଅଟକ ରଖା ଯାଇଥିବା ସ୍ଥାନରୁ ମୁକ୍ତକରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ଅଷ୍ଟ୍ରେଲିଆ ସରକାରଙ୍କ ପାଇଁ ଏହା ଶକ୍ତ ଧକ୍କା ପରି ହୋଇଛି।
୩୪ ବର୍ଷ ବୟସ୍କ ସର୍ବିୟାର ନୋଭାକ୍ ଜୋକୋଭିକ୍‌ ଗତ ସପ୍ତାହରେ ଅଷ୍ଟ୍ରେଲିଆନ୍ ଓପନ୍‌ ଖେଳିବାକୁ ମେଲ୍‌ବୋର୍ଣ୍ଣରେ ପହଞ୍ଚିଥିଲେ। ବିଶ୍ବରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ଅଷ୍ଟ୍ରେଲିଆନ୍ ଓପନ୍‌ ଚଳିତମାସ ୧୭ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଜୋକୋଭିକ୍‌ ମେଲ୍‌ବୋର୍ଣ୍ଣରେ ପହଞ୍ଚିବା ପରେ ତାଙ୍କୁ ରୋକା ଯାଇଥିଲା। ସେ କୌଣସି କରୋନା ଟିକା ନେଇନଥିବାରୁ ତାଙ୍କୁ ବିମାନ ବନ୍ଦର ବାହାରକୁ ଯିବାକୁ ଦିଆ ଯାଇନଥିଲା। ତାଙ୍କ ଭିସା ରଦ୍ଦ କରା ଯାଇଥିଲା ଏବଂ ତାଙ୍କୁ ପାର୍କ ହୋଟେଲ୍‌ରେ ପ୍ରସ୍ତୁତ କରା ଯାଇଥିବା ଅଣପ୍ରବାସିକ କେନ୍ଦ୍ରରେ ଅଟକ ରଖା ଯାଇଥିଲା। ସେଠାରେ ଅପରାଧୀଙ୍କ ପରି ତାଙ୍କୁ ନିରାପତ୍ତା କର୍ମୀ ଜଗି ରହିଥିଲେ। ସୋମବାର ଅଦାଲତରେ ଆଭାସୀ ଶୁଣାଣିରେ ବିଚାରପତି କହିଥିଲେ ଯେ ସରକାର ଜୋକୋଭିକ୍‌ଙ୍କ ଭିସା ରଦ୍ଦକୁ ଉଠାଇବା ଲାଗି ରାଜି ହୋଇଛନ୍ତି ଏବଂ ୩୦ ମିିନିଟ ମଧ୍ୟରେ ତାଙ୍କୁ ଅଣପ୍ରବାସିକ କେନ୍ଦ୍ରରୁ ଛାଡ଼ିବା ପାଇଁ ରାଜି ହୋଇଛନ୍ତି। ଆଭାସୀ ମାଧ୍ୟମରେ ଶୁଣାଣି କରା ଯାଇଥିଲେ ହେଁ ଜୋକୋଭିକ୍‌ଙ୍କ କିଛି ପ୍ରଶଂସକ ଅଦାଲତ ବାହାରେ ଏକାଠି ହୋଇ ସର୍ବିୟା ପତାକା ଓ ଜୋକୋଭିକ୍‌ଙ୍କ ଫଟୋ ଧରି ସ୍ଲୋଗାନ୍‌ ଦେଇଥିଲେ। ଜୋକୋଭିକ୍‌ଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଏହି ଟେନିସ ତାରକା ଡିସେମ୍ବରରେ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କର ଟିକା ନେବାର ସେପରି ଆବଶ୍ୟକତା ନଥିଲା। ଜୋକୋଭିକ୍‌ଙ୍କୁ ଟିକାକରଣରୁ ରିଆତି ଦିଆ ଯାଇଥିଲା। ଏହାସତ୍ତ୍ବେ ତାଙ୍କୁ ଅଟକ ରଖା ଯାଇଥିଲା। ଜୋକୋଭିକ୍‌ଙ୍କୁ ସର୍ବିୟା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବା ସହ ପ୍ରଧାନମନ୍ତ୍ରୀ ଆନା ବର୍ନାବିଚ୍‌ ନିୟମିତ ଭାବେ ଅଷ୍ଟ୍ରେଲିଆ ସରକାରଙ୍କ ସହ ଯୋଗାଯୋଗରେ ଥିଲେ। ଜୋକୋଭିକ୍‌ଙ୍କୁ ମୁକ୍ତ କରାଯିବା ପରେ ତାଙ୍କର ପ୍ରଶସଂକ, ବହୁ ଟେନିସ୍ ଖେଳାଳି ଓ କ୍ରୀଡ଼ାପ୍ରେମୀ ଅଦାଲତଙ୍କ ରାୟକୁ ସ୍ବାଗତ କରିଛନ୍ତି। ଏଣେ ମୁକ୍ତହେବା ପରେ ନୋଭାକ୍ ଜୋକୋଭିକ୍ ଅଷ୍ଟ୍ରେଲିଆନ୍ ଓପନ୍‌ ପାଇଁ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି।

Comments are closed.