ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ୯ ତାରିଖ ରହିଛି। ତା’ ପରଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷଦିନ ୧୨ ତାରିଖ ରହିଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୦ଟି ନିର୍ବାଚନ ମଣ୍ଡଳୀରେ ୨୭ ତାରିଖ ଦିନ ମତଦାନ ହେବ। ସେଗୁଡ଼ିକ ମଧ୍ୟରେ ପୁରୁଲିଆର ୯ଟି ଆସନ, ପୂର୍ବ ମେଦୀନପୁରର ୭ଟି ଆସନ, ପଶ୍ଚିମ ମେଦୀନପୁରର ୬ଟି ଆସନ ଓ ଝରଗ୍ରାମ ଏବଂ ବଙ୍କୁଡ଼ା ଜିଲ୍ଲାର ୪ଟି ଲେଖାଏଁ ଆସନ ରହିଛି।

ସେହିପରି ୪୭ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ତାରିଖରେ ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ୮୦ଲକ୍ଷ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୧୨ଟି ଜିଲ୍ଲାରେ ମତଦାନ ହେବ। ସେହି ଜିଲ୍ଲାଗୁଡ଼ିକ ଉପର ଆସାମରେ ଅବସ୍ଥିତ। ଏପର୍ଯ୍ୟନ୍ତ କୌଣସି ବଡ଼ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। କିନ୍ତୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି। ବିଜେପି ଓ ଆସାମ ଗଣପରିଷଦର ନେତାମାନଙ୍କ ମଧ୍ୟରେ ଆଜି ଗୌହାଟୀଠାରେ ଆଉ ଏକ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଛି। ଉଭୟ ଦଳ ମଧ୍ୟରେ ଗତକାଲି ଏକ ବୈଠକ ବସିଥିଲା।

ଆସାମ ଜାତୀୟ ପରିଷଦ ସଭାପତି ଲୁରିନ୍‍ ଜ୍ୟୋତି ଗୋଗୋଇ ଲାଇଜୋର ଦଳ ମୁଖ୍ୟ ଅଖିଳ ଗୋଗୋଇଙ୍କ ସହ ଗତକାଲି ଏକ ବୈଠକରେ ମିଳିତ ହୋଇଥିଲେ। କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆସାମକୁ ତାଙ୍କର ଦ୍ୱିତୀୟ ଦିନର ଗସ୍ତରେ ଯାଇ ବିଶ୍ୱନାଥ ଜିଲ୍ଲାର ଚା’ବଗିଚା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି।

Comments are closed.