+୨ ବିଜ୍ଞାନ ଓ ବାଣିଜ୍ୟ ରିଚେକିଂ ପାଇଁ ବିଜ୍ଞପ୍ତି

ଆସନ୍ତା ୫ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ ଓ ଫି’ ଦାଖଲ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର ରିଚେକିଂ ଓ ରିଆଡିସନ୍‌ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଆବେଦନ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି।

ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ଆସନ୍ତା ୫ ତାରିଖ ସୁଦ୍ଧା ରିଆଡିସନ୍‌ ଓ ରିଚେକିଂ ପାଇଁ ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏମ୍‌ପି ହୋଇଥିବା‌ ଓ ପରୀକ୍ଷା ଫଳ ସ୍ଥଗିତ ଥିବା ବିଦ୍ୟାର୍ଥୀ ଆବେଦନ କରିପାରିବେ ନାହିଁ। ଯେଉଁ ବିଦ୍ୟାର୍ଥୀ ରିଚେକିଂ ପାଇଁ ଆବେଦନ କରିବା ସହ ଆବଶ୍ୟକୀୟ ଫି ଦାଖଲ କରିଥିବେ ସେମାନଙ୍କୁ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ସଂପୃକ୍ତ ବିଷୟ ପରୀକ୍ଷା ଖାତାର ଡାଉନ୍‌ଲିଡ୍‌ ଲିଙ୍କ ଇ-ମେଲ୍‌ରେ ପ୍ରଦାନ କରାଯିବ।

ଆବେଦନ ଫି ବିଦ୍ୟାର୍ଥୀ କେବଳ ଅନ୍‌ଲାଇନ୍‌ରେ ଦାଖଲ କରିପାରିବେ। ପ୍ରତି ବିଷୟରେ ଆବେଦନ ପାଇଁ ଦୁଇ ଶହ ଟଙ୍କା ଦେୟ ଦେବାକୁ ହେବ। ଛାତ୍ରଛାତ୍ରୀଙ୍କୁ ପରିଷଦ ପକ୍ଷରୁ କୌଣସି ପ୍ରକାରର ଖାତାର ହାର୍ଡକପି ପ୍ରଦାନ କରାଯିବ ନାହିଁ। ଯଦି କୌଣସି ବିଦ୍ୟାର୍ଥୀ ସେପ୍ଟେମ୍ବର ୧୨ ସୁଦ୍ଧା ଲିଙ୍କ ପାଇ ନଥିବେ ଓ ଉତ୍ତର ଖାତା ଡାଉନ୍‌ଲୋଡ୍‌ କରିବାରେ ଅସୁବିଧା ହେଲେ ସେମାନେ ସେପ୍ଟେମ୍ବର ୧୬ ସୁଦ୍ଧା ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇପାରିବେ । ପରୀକ୍ଷା ନିୟନ୍ତ୍ରକଙ୍କ ମେଲ୍‌ ଆଇଡ୍‌ coechserecheck@gmail.com ମାଧ୍ୟମରେ ସମସ୍ୟା ସମ୍ବନ୍ଧରେ ଜଣାଇପାରିବେ।

ଖାତାରେ ଯଦି କୌଣସି ଉତ୍ତର ମୂଲ୍ୟାୟନ ହୋଇ ନଥିବ ସେନେଇ ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୧ ସୁଦ୍ଧା ଅଭିଯୋଗ କରିପାରିବେ। ସମୟ ଅପଚୟ ନକରି ଶୀଘ୍ର ଆବେଦନ କରିବା ପାଇଁ ପରିଷଦ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୫ ସୁଦ୍ଧା ଆବଶ୍ୟକ ଫି ଦାଖଲ ନକଲେ ପରିଷଦ ଦାୟୀ ରହିବ ନାହିଁ। ନିର୍ଦ୍ଧାରିତ ସମୟ ପରେ ଆବେଦନ କଲେ ତାକୁ ପରିଷଦ ଗ୍ରହଣ କରିବ ନାହିଁ। କୌଣସି ପରିସ୍ଥିତିରେ ବିଦ୍ୟାର୍ଥୀ ଦାଖଲ କରିଥିବା ଅର୍ଥ ଫେରସ୍ତ ଦିଆଯିବନି। ବିଦ୍ୟାର୍ଥୀ ଆବେଦନ ସମୟରେ ନିଜର ମେଲ୍‌ ଆଇଡ୍‌ ଓ ମୋବାଇଲ ନମ୍ବର ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Comments are closed.