କ୍ରସର ବନ୍ଦ ଅଭିଯୋଗର ଶୁଣାଣି ପାଇଁ ଗାଁ ଲୋକଙ୍କୁ ନୋଟିସ୍‍

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଞ୍ଚଳରେ ଗଢିଉଠିଥିବା ବିନାଶକାରୀ କ୍ରସର ଶିଳ୍ପ ବନ୍ଦ ଦାବିରେ ଗାଁ ଲୋକଙ୍କ ପକ୍ଷରୁ ଗତ ୩୦ତାରିଖ ହରଭଙ୍ଗା ତହସିଲଦାରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା। ଗାଁ ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ହରଭଙ୍ଗା ତହସିଲଦାର ଏକ ନୋଟିସ ଜାରି କରିଛନ୍ତି। ଆସନ୍ତା ୧୩ତାରିଖ ତାଙ୍କ ଅଭିଯୋଗ ଉପରେ ଶୁଣାଣି କରିବା ପାଇଁ ଦିନଧାର୍ଯ୍ୟ କରାଯାଇଛି। ଗ୍ରାମର ୫ଜଣ ଲୋକ ତହସିଲ କାର୍ଯ୍ୟାଳୟରେ ହାଜିର ହୋଇ ନିଜର ପକ୍ଷ ରଖିବାକୁ ନୋଟିସରେ କୁହାଯାଇଥିବା ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ସୂଚନା ଦେଇଛନ୍ତି। ଏହାପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।

ସୂଚନା ଯୋଗ୍ୟ ୨୦୦୮ରୁ ଏହି ଅଞ୍ଚଳରେ ଗଢିଉଠିଥିବା କ୍ରସର ଶିଳ୍ପ ଏବଂ ବେଆଇନ ପଥର ଉତ୍ତୋଳନକୁ ସ୍ଥାନୀୟ ପଞ୍ଚାୟତବାସୀ ବିରୋଧ କରିବା ସତ୍ୱେ ଗୋଟିଏ ପରେ ଗୋଟିଏ କ୍ରସର ଶିଳ୍ପ ଏହି ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ବିନାଶକାରୀ ଶୀଳ୍ପ ଯୋଗୁଁ ଚିରସବୁଜ ପ୍ରାକୃତିକ ଜଙ୍ଗଲ ଧ୍ୱଂସ ହେବାକୁ ବସିଛି। ଅନ୍ୟପଟେ ପ୍ରଦୂଷଣ, ପ୍ରଚଣ୍ଡ ଶଦ୍ଦରେ ଘରଦ୍ୱାର ଭାଙ୍ଗିବା ସହିତ ପ୍ରତିଦିନ ଲୋକେ ମୃଦୁ ଭୂକମ୍ପ ଅନୁଭବ କରୁଛନ୍ତି। ଏହାର ପ୍ରଭାବରେ ଅଞ୍ଚଳରେ ବିକଳାଙ୍ଗ ଶିଶୁ ସଂଖ୍ୟା ବୃଦ୍ଧି ସାଙ୍ଗକୁ କିଡନୀ ରୋଗ ମଧ୍ୟ ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି। ଛତ୍ରଙ୍ଗ ପଞ୍ଚାୟତ ଖରଭୁଇଁ ଅଞ୍ଚଳରେ ଦୀର୍ଘ ୧୪ବର୍ଷହେଲା ଗୋଟିଏ ପରେ ଗୋଟିଏ କ୍ରସର ସାଙ୍ଗକୁ ପଥର କୁଆଁରୀ ଯୋଗୁଁ ସାଧାରଣ ଜନଜୀବନ ବିଶେଷ ପ୍ରଭାବିତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

Comments are closed.