ରାଫେଲ କାରବାର ସମ୍ବନ୍ଧୀୟ ଚିଠି ପ୍ରସଙ୍ଗ; ସଫେଇ ଦେଲେ ପୂର୍ବତନ ପ୍ରତିରକ୍ଷା ସଚିବ

0

ନୂଆଦିଲ୍ଲୀ : ରାଫେଲ କାରବାର ସମ୍ବନ୍ଧୀୟ ୨୦୧୫ ନଭେମ୍ବର ୨୪ ତାରିଖ ସମ୍ବଳିତ ଚିଠିକୁ ନେଇ ପୂର୍ବତନ ପ୍ରତିରକ୍ଷା ସଚିବ ଜି. ମୋହନ କୁମାର ଶୁକ୍ରବାର ସଫେଇ ଦେଇଛନ୍ତି। ରାଫେଲ ବିମାନ ପାଇଁ ଫ୍ରାନ୍ସ ସହିତ ପିଏମ୍‌ଓର ସମାନ୍ତରାଳ ଆଲୋଚନାକୁ ବିରୋଧ କରି ଲେଖାଯାଇଥିବା ଉକ୍ତ ଚିଠିର ରାଫେଲ ବିମାନ ମୂଲ୍ୟାୟନ ପ୍ରସଙ୍ଗ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବିବାଦ କାହିଁକି?
ଫ୍ରାନ୍ସର ଡାସଲ୍ଟ ଆଭିଏସନଠାରୁ ୩୬ଟି ରାଫେଲ ବିମାନ କ୍ରୟ ନେଇ ହୋଇଥିବା ବୁଝାମଣାରେ ଦୁର୍ନୀତି ହୋଇଥିବା କଂଗ୍ରେସ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଛି। ଏପରିକି ଏହି କାରବାରର ଅଫସେଟ ଚୁକ୍ତି ଦ୍ବାରା ପ୍ରମୁଖ ଉଦ୍ୟୋଗପତି ଅନୀଲ ଅମ୍ବାନୀଙ୍କୁ ଲାଭବାନ କରାଯାଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଉଭୟ କେନ୍ଦ୍ର ସରକାର ଓ ଅମ୍ବାନୀ ଅସ୍ବୀକାର କରିଥିବା ବେଳେ ରାଫେଲ କାରବାର ଦୁର୍ନୀତି ମୁକ୍ତ ବୋଲି ନିକଟରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ରାଫେଲ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ଫାଇଲ ତାଙ୍କ ଶୟନ କକ୍ଷରେ ରହିଛି ବୋଲି ପରିକର ତାଙ୍କୁ କହିଥିବା ଗୋଆର ଜଣେ ମନ୍ତ୍ରୀ କହୁଥିବା ନେଇ ଅଡିଓ ସାର୍ବଜନୀନ ହେବା ପରେ ଏହି ବିବାଦ ପୁନଃ ଜୋର ଧରିଥିଲା। ସମ୍ଭବତଃ କେନ୍ଦ୍ରକୁ ଏହି ଦସ୍ତାବିଜର ଭୟ ଦେଖାଇ ଅସୁସ୍ଥ ପରିକର ଗୋଆ ମୁଖ୍ୟମନ୍ତ୍ରୀ ପଦ କାଏମ ରଖିଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ ଦର୍ଶାଇଥିଲେ।

Leave A Reply