ଆରବିଆଇଠାରୁ ୩.୬ଲକ୍ଷ କୋଟି ନେବ ନାହିଁ କେନ୍ଦ୍ର

0

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ଆରବିଆଇରେ ଗଚ୍ଛିତ ଥିବା ନଗଦ ରାଶିର ଏକ ତୃତୀୟାଂଶ ଅର୍ଥକୁ ବ୍ୟବହାର କରିବାର ନିଷ୍ପତ୍ତିରୁ ଓହରି ଯାଇଛି କେନ୍ଦ୍ର। ଏହି ଅର୍ଥ କେନ୍ଦ୍ର ସରକାର ଦେଶର ବିକାଶ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଚିନ୍ତା କରୁଥିଲେ। ଆଗାମୀ ୧୯ତାରିଖରେ ହେବାକୁ ଥିବା ବୈଠକ ପୂର୍ବରୁ ଆରବିଆଇଠାରୁ ୩.୬ଲକ୍ଷ କୋଟି ଟଙ୍କା ନେବାର ପ୍ରସ୍ତବରୁ ଓହରି ଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ରିଜର୍ଭ ବ୍ୟାଙ୍କ ବିପୁଳ ଅର୍ଥକୁ ଗଚ୍ଛିତ ରଖିବା ଏକ ସଙ୍କୁଚିତ ଧାରା ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇ ଥିଲେ। ତେଣୁ କେନ୍ଦ୍ର ସରକାର ଏହି ଅର୍ଥକୁ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରି ଏହି ସଂଙ୍କୁଚିତ ଧାରାକୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଥିଲେ। ଗଚ୍ଛିତ ଥିବା ୯.୬ଲକ୍ଷ କୋଟି ଟଙ୍କାରୁ କେନ୍ଦ୍ର ସରକାର ୩.୬ଲକ୍ଷ କୋଟି ଟଙ୍କା ମୁଦ୍ରା ସଞ୍ଚାର ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରିଜର୍ଭ ବ୍ୟାଙ୍କର ବୋର୍ଡ଼ରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବାର ସମ୍ଭାବନା ମଧ୍ୟ ଥିଲା।
କେନ୍ଦ୍ର ସରକାର ଆରବିଆଇର ନଗଦ ନେବା ପ୍ରସ୍ତାବରୁ ଓହରି କେନ୍ଦ୍ର ବ୍ୟାଙ୍କଗୁଡ଼ିକରେ ପୁଞ୍ଜି ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଆରବିଆଇକୁ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ରାଜକୋଷରେ ବିତ୍ତୀୟ ନିଅଣ୍ଟକୁ ୩.୩ ପ୍ରତିଶତରେ ସୀମିତ ରଖାଯାଇଛି। ଚଳିତ ବର୍ଷର ବଜେଟ ଲକ୍ଷ୍ୟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ବଜାରରୁ ୭୦ହଜାର କୋଟି ଟଙ୍କା ଋଣ ନେବାକୁ ପୂର୍ବରୁ ଚିନ୍ତା କରିଥିଲେ। ଏବେ ଏହି ଯୋଜନାରୁ କେନ୍ଦ୍ର ସରକାର ଓହରି ଆସିଛନ୍ତି। କେନ୍ଦ୍ରକୁ ଆବଶ୍ୟକ ଅର୍ଥ ସରକାର ନିଜର ଅର୍ଥନୀତି ଦ୍ୱାରା ପୂରଣ କରିଦେଇଛନ୍ତି। ତେଣୁ ଆରବିଆଇ କିମ୍ବା ବାହାରୁ ଋଣ ନେବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

Leave A Reply