ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ବେଶି ଅର୍ଥ କାରବାର ହୋଇନି

ମୁମ୍ବଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ଅର୍ଥନୈତିକ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସେପରି କୌଣସି ସଫଳତା ପାଇପାରି ନାହିଁ। ସୁଶାନ୍ତଙ୍କ ଅର୍ଥକୁ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ହଡପ କରିଥିବା ନେଇ ଯେଉଁ ଅଭିଯୋଗ ହୋଇଛି ତାର କୌଣସି ପ୍ରମାଣ ଇଡିକୁ ମିଳିପାରି ନାହିଁ। ଇଡି ସୂଚନା ଅନୁଯାୟୀ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ବିପୁଳ ପରିମାଣର ଅର୍ଥ କାରବାର ହୋଇନାହିଁ। ଅନ୍ୟପଟେ ସୁଶାନ୍ତଙ୍କ ପୂର୍ବତନ ବାନ୍ଧବୀ ଅଙ୍କିତା ଲୋଖାଣ୍ଡେ ରହୁଥିବା ଏକ ଫ୍ଲାଟ୍‍ର ଇଏମଆଇ ସୁଶାନ୍ତ ପ୍ରତିମାସରେ ଭରଣା କରୁଥିଲେ।

ମୁମ୍ବଇର ମାଲାଡରେ ଅବସ୍ଥିତ ଏହି ଫ୍ଲାଟର ମୂଲ୍ୟ ୪.୫କୋଟି ଟଙ୍କା। ଫ୍ଲାଟର ଇଏମଆଇ ସୁଶାନ୍ତ ଦେଉଥିଲେ ମଧ୍ୟ ଅଙ୍କିତାଙ୍କ ଅକ୍ତିଆରରେ ଏହା ଥିଲା। ଏପରିକି ଫ୍ଲାଟ ଖାଲି କରିବା ଲାଗି ମଧ୍ୟ ଅଙ୍କିତାଙ୍କୁ ସୁଶାନ୍ତ କେବେ କହୁ ନଥିଲେ। ଅଙ୍କିତା ଓ ସୁଶାନ୍ତଙ୍କ ମଧ୍ୟରେ ୬ବର୍ଷର ପ୍ରେମ ସମ୍ପର୍କ ଥିଲା। ୨୦୧୬ରେ ଉଭୟ ପରସ୍ପର ଠାରୁ ଦୂରେଇ ଯାଇଥିଲେ। ଇଡିର ଜେରା ସମୟରେ ରିୟା ଚକ୍ରବର୍ତ୍ତୀ ଏହି ଫ୍ଲାଟ ସମ୍ପର୍କରେ ସୂଚନା ଦେଇଥିଲେ। ସୁଶାନ୍ତଙ୍କ ପିତା କୃଷ୍ଣକୁମାର ସିଂହ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫କୋଟି ଟଙ୍କା ହଡପ ହୋଇଛି। ତେବେ ଏହିି ଅର୍ଥକୁ କେଉଁ ବାଟରେ ଖର୍ଚ୍ଚ କରିଛନ୍ତି ତା’ ଉପରେ ଇଡି ତଦନ୍ତ ଜାରି ରଖିଛି। ସୁଶାନ୍ତ ମୃତ୍ୟୁର ଆର୍ଥିକ ଦିଗର ତଦନ୍ତ ପାଇଁ ଇଡି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦୁଇ ପର୍ୟ୍ୟାୟରେ ଜେରା କରିସାରିଛି।

Comments are closed.