ଆମେ ସାବରୀମାଳାକୁ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଆଲୋଚନା କରୁ ନାହୁଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ପ୍ରଚଳିତ ବିଭିନ୍ନ ଧର୍ମରେ ମହିଳାମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ଭେଦଭାବର ବିଚାର ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ପ୍ରସ୍ତୁତି କରିବା କାର୍ଯ୍ୟ ପୁଣି ଆରମ୍ଭ କରି କହିଛନ୍ତି, ଏଥିରେ କେରଳର ସାବରୀମାଳା ମନ୍ଦିରକୁ ବିଭିନ୍ନ ବୟସ ବର୍ଗର ମହିଳାମାନଙ୍କ ପ୍ରବେଶ ବିଷୟ ଆଲୋଚନା କରାଯାଉ ନାହିଁ। ଏ ନେଇ ପ୍ରଧାନ ବିଚାରପତି ଏସ.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ଖଣ୍ଡପୀଠ କେତେଜଣ ବରିଷ୍ଠ ଆଇନଜୀବୀଙ୍କ ମତାମତ ଶୁଣିବା ସହ ଏ ଦିଗରେ ଦୃଢ ଆଇନ ପ୍ରଣୟନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ସାବରୀମାଳା ସମୀକ୍ଷା ମାମଲା ଏବେ ସେମାନଙ୍କ ପାଖରେ ବିଚାର ପାଇଁ ଆସିନାହିଁ। ଆମେ ସେ ସମ୍ପର୍କରେ ନିଷ୍ପତ୍ତି ନେଉନାହୁଁ। ବରିଷ୍ଠ ଆଇନଜୀବୀ ଏଫ.ଏସ.ନରିମାନ, କପିଳ ଶିଵଲ, ଶ୍ୟାମ ଦୀଵାନ ଏବଂ ରାକେଶ ଦ୍ବିବେଦୀ ଏହି ଶୁଣାଣି ପ୍ରକ୍ରିୟାକୁ ବିରୋଧ କରି କହିଛନ୍ତି କିନ୍ତୁ ଖଣ୍ଡପୀଠ ଏହାକୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଭଳି କରାଯାଉଥିବା କହିଛନ୍ତି। ଗତବର୍ଷ ନଭେମ୍ବର ୧୪ରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ତିନି ଦୁଇ ସଂଖ୍ୟାଗରିଷ୍ଠତାରେ ଏହି ମାମଲାର ଶୁଣାଣି ବୃହତ୍ତର ଖଣ୍ଡପୀଠରେ କରିବାକୁ ସୁପାରିଶ କରିଥିଲେ। ଏଥିରେ ମୁସଲମାନ ମହିଳାଙ୍କୁ ମସଜିଦରେ ପ୍ରବେଶ ନେଇ ବାରଣ, ଦାଉଦି ବୋହରା ମୁସଲମାନ ସମ୍ପ୍ରଦାୟର ମହିଳା ଯୌନାଙ୍ଗ ବିକୃତ କରିବା ଏବଂ ଅନ୍ୟ ଧର୍ମରେ ବିବାହ କଲେ ପାର୍ସି ମହିଳାଙ୍କୁ ଅଧିକାରରୁ ବଂଚିତ କରିବା ଭଳି ପ୍ରସଙ୍ଗ ରହିଛି।

Comments are closed.