ଉତ୍ତର କୋରିଆ ପରମାଣୁ ଅସ୍ତ୍ର ପରୀକ୍ଷଣ ସ୍ଥଳ ଧ୍ୱଂସ

0

ବେଜିଂ : ଉତ୍ତର କୋରିଆର ଏକ ପାହାଡ଼ ଉପରେ ଥିବା ପରମାଣୁ ଅସ୍ତ୍ର ପରୀକ୍ଷଣ ସ୍ଥଳ ଭୁଶୁଡ଼ି ନଷ୍ଟ ହୋଇଯାଇଛି ବୋଲି ଚୀନର ଭୂତତ୍ତ୍ୱ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଆଉ ଏହି ସ୍ଥଳରେ ପରମାଣୁ ଅସ୍ତ୍ର ପରୀକ୍ଷଣ ସମ୍ଭବ ନୁହେଁ । ଏଠାରେ କିଛି ରେଡିଏସ୍‌ନ ଲିକ୍‌ ହୋଇଛି କି ନାହିଁ ତାହା ପର୍ଯ୍ୟବେକ୍ଷଣ ଚାଲିଛି ବୋଲି ସେମାନେ କହିଛନ୍ତି। ଚୀନ ବୈଷୟିକ ଜ୍ଞାନ ଏବଂ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକମାନଙ୍କ କହିବା ଅନୁସାରେ ପରମାଣୁ ଅସ୍ତ୍ର ପରୀକ୍ଷଣରୁ ହିଁ ଦୁର୍ଘଟଣାର ପରିସ୍ଥିତି ସୃଷ୍ଟି ହୋଇଥିଲା । ପାହାଡ଼ ଉପରେ ଏହି ପରମାଣୁ ଅସ୍ତ୍ର ପରୀକ୍ଷଣ ସ୍ଥଳ ନିର୍ମାଣ କରାଯାଇଥିଲା। ପାହାଡ ତଳେ ଅଣ୍ଡରଗ୍ରାଉଣ୍ଡ (ଭୂପୃଷ୍ଠ ତଳେ) ସୁଢଙ୍ଗ କରାଯାଇ ପରୀକ୍ଷଣ ପାଇଁ ଉପକରଣ ଖଞ୍ଜା ଯାଇଥିଲା । ଉତ୍ତର କୋରିଆର ୬ଟି ପରମାଣୁ ପରୀକ୍ଷା ଏହି ସ୍ଥଳରେ କରାଯାଇଥିଲା । ପରମାଣୁ ଅସ୍ତ୍ର ପରୀକ୍ଷଣ ଦ୍ୱାରା ସେଠାରେ ପ୍ରବଳ ମାତ୍ରାରେ ଉତ୍ତାପ ଓ ଶକ୍ତି ସୃଷ୍ଟି ହୋଇଥିଲା। ଯାହା ଶେଷରେ ପରୀକ୍ଷା ସ୍ଥଳ ଭୁଶୁଡ଼ିବାର କାରଣ ହୋଇଛି ବୋଲି ଚୀନ ଭୂତତ୍ତ୍ୱ ବୈଜ୍ଞାନିକମାନେ କହିଛନ୍ତି । ଏହି ପରୀକ୍ଷା ସ୍ଥଳରେ ୨୦୦୬ରୁ ଏପର୍ଯ୍ୟନ୍ତ ୬ ଥର ପରମାଣୁ ଅସ୍ତ୍ର ପରୀକ୍ଷା କରାଯାଇଛି । ଗତବର୍ଷ ସେପ୍ଟେମ୍ବର ୩ରେ ଷଷ୍ଠ ଆଣବିକ ଅସ୍ତ୍ର ପରୀକ୍ଷଣ ବେଳେ ଉକ୍ତ ପରୀକ୍ଷଣ ସ୍ଥଳ ନିକଟରେ ୪ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଅନେକ ସ୍ଥାନରେ ଭୂ-ସ୍ଖଳନ ଘଟିଥିଲା । ଏପରିକି ଗୋଟିଏ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା । ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ବି ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ସାଟେଲାଇଟରେ ଉତ୍ତୋଳିତ ଚିତ୍ର ଦ୍ୱାରା ଏହା ସ୍ପଷ୍ଟ ହୋଇଥିବା ଚୀନ ବୈଜ୍ଞାନିକମାନେ କହିଛନ୍ତି । ଏପରିକି ସେପ୍ଟେମ୍ବର ୩ରେ ପରୀକ୍ଷଣ ହୋଇଥିବା ହାଇଡ୍ରୋଜେନ ବୋମା ୧୯୪୫ରେ ହିରୋଶିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୧୦ଗୁଣ ଅଧିକ ଶକ୍ତିଶାଳୀ ବୋଲି ଉତ୍ତର କୋରିଆ ଦାବି କରିଥିଲା । ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜେଇନ୍‌ଙ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତାକାର ପୂର୍ବରୁ ଉତ୍ତର କୋରିଆ ସମସ୍ତ ପରମାଣୁ ଅସ୍ତ୍ର ପରୀକ୍ଷଣ ନିବୃତ୍ତ ରହିବ ବୋଲି ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ଘୋଷଣା କରିଥିଲେ । ମାତ୍ର ଏହାର ପ୍ରକୃତ କାରଣ ପରମାଣୁ ଅସ୍ତ୍ର ପରୀକ୍ଷଣସ୍ଥ ଭୁଶୁଡ଼ି ପଡ଼ିବା ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply