ନାଁ ପଛର କାହାଣୀ, ବୀର ସୁରେନ୍ଦ୍ର ସାଏ ନଗର

ଉତ୍ତରଭୁବନେଶ୍ୱର: ରାଜଧାନୀର ପ୍ରତ୍ୟେକ ଅଞ୍ଚଳରେ କିଛି ନା କିଛି କଲୋନୀ, ନଗର, ଛକ ରହିଛି। ପ୍ରତ୍ୟେକ ସ୍ଥାନର ନାମ ପଛରେ କିଛି କାହାଣୀ ମଧ୍ୟ ରହିଛି। ଭିଏସ୍‌ଏସ୍‌ ନଗର ବା ବୀର ସୁରେନ୍ଦ୍ର ସାଏ ନଗର ଭୁବନେଶ୍ୱରର ଏକ ପ୍ରମୁଖ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ନାମକରଣ ପଛର କାହାଣୀ ଆସନ୍ତୁ ଜାଣିବା।

ରାଜଧାନୀରେ ଥିବା ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ କଲୋନୀ ନିର୍ମାଣ କରାଯାଇଥିଲା। ଶିଳ୍ପାଞ୍ଚଳ ଲୋକଙ୍କ ରହିବା ପାଇଁ ଜିଜିପି କଲୋନୀ ନିର୍ମାଣ ହୋଇଥିଲା। ଠିକ୍‍ ସେହିପରି ସରକାରୀ କର୍ମଚାରୀଙ୍କ ପାଇଁ ଭିଏସ୍‌ଏସ୍‌ ନଗରରେ ୧୯୭୫ରୁ ହାଉସିଂ ବୋର୍ଡ ପକ୍ଷରୁ ଗୃହ ନିର୍ମାଣ କରାଯାଇଥିଲା। ଯାହାକି ୧୯୭୯ ଜାନୁଆରୀ ପହିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ କରକମଳରେ ଉଦ୍‍ଘାଟିତ ହୋଇଥିଲା। ତତ୍‍କାଳୀନ ହାଉସିଂବୋର୍ଡ ଚେୟାରମ୍ୟାନ ଭାବେ ପ୍ରଥମେ ଶଶିଭୂଷଣ ମିଶ୍ର ଏବଂ ପରେ ହୃଦାନନ୍ଦ ମଲିକ ଦାୟିତ୍ୱ ନେଇଥିଲେ। କୁହାଯାଏ ସେହି ସମୟରେ ଭୁବନେଶ୍ୱରରେ ସୁରେନ୍ଦ୍ର ସାଏଙ୍କ ନାମରେ କୌଣସି ଛକ କିମ୍ବା ସ୍ଥାନ ନାମିତ ହୋଇନଥିବାରୁ ୧୯୭୯ରେ ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଥିଲା। ଏକ ଛୋଟ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରାଯାଇଥିଲା। ପ୍ରଥମେ ଏଠାରେ ମାତ୍ର ୮୦ଟି ପରିବାର ରହୁଥିଲେ। ପରବର୍ତ୍ତୀ ସମୟରେ ଏଠାରେ ଧୀରେଧୀରେ ଲୋକଙ୍କ ଗହଳି ବଢ଼ିଥିଲା। ଏହି ଅଞ୍ଚଳରେ ୧୯୭୮ରେ ପ୍ରଥମକରି ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ସେହି ବର୍ଷ ଏଠାରେ ସାପ୍ତାହିକ ହାଟ ମଧ୍ୟ ଆରମ୍ଭ ହୋଇଥିଲା।

ପୂର୍ବରୁ ସ୍କୁଲ ନଥିବା ବେଳେ ୧୯୭୯ରୁ ୟୁଜିଏମ୍‌ଇ ସ୍କୁଲ ଏବଂ ୧୯୯୦ରେ ହାଇସ୍କୁଲ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏଠାରେ କଲ୍ୟାଣମଣ୍ଡପ, ପୁଲିସ୍ ଫାଣ୍ଡି, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଏକାଧିକ ଘରୋଇ ସ୍କୁଲ, ପୋଷ୍ଟ ଅଫିସ୍‍, ବ୍ୟାଙ୍କ, ଦୋକାନ ବଜାର ଆଦି ରହିଛି। ପୂର୍ବରୁ ଏକହଜାର ମଧ୍ୟରେ ସୀମିତ ଥିବା ଗୃହ ସଂଖ୍ୟା ଏବେ ୨୫୦୦ ରେ ପହଞ୍ଚିଛି।

Comments are closed.