ମଥୁରା ଆଖପାଖ ଅଞ୍ଚଳ ହେଲା ଧାର୍ମିକ କ୍ଷେତ୍ର, ଆମିଷ ଓ ମଦ ନିଷେଧ

ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ଉତ୍ତରପ୍ରଦେଶ ସରକାର ଧାର୍ମିକ କ୍ଷେତ୍ର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଧାର୍ମିକ କ୍ଷେତ୍ର ଘୋଷଣା ହୋଇଥିବା ସମଗ୍ର ୧୦ ବର୍ଗ କିଲୋମିଟର ଜୋନରେ ମଦ ଏବଂ ମାଂସ ବିକ୍ରି ଉପରେ କଟକଣା ଜାରି କରାଯାଇଛି।

ସେଠାକାର ପ୍ରଶାସନିକ ଅଧିକାରୀମାନଙ୍କ ଅନୁଯାୟୀ, ବ୍ରଜ ଭୁମିକୁ ଆସୁଥିବା ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମଥୁରାଙ୍କୁ ଏକ ଧାର୍ମିକ କ୍ଷେତ୍ର ଘୋଷଣା କରିବାର ଦାବି ଦୀର୍ଘ ସମୟ ଧରି ବିଚାରାଧୀନ ଥିଲା। ମଥୁରା ମ୍ୟୁନିସିପାଲିଟି କର୍ପୋରେସନର ୨୨ଟି ୱାର୍ଡକୁ ନେଇ ଏହି ତୀର୍ଥସ୍ଥାନ ଗଠିତ।

ଏହି ନିଷ୍ପତ୍ତିକୁ ଧାର୍ମିକ ନେତା ଏବଂ ଅଞ୍ଚଳର ଲୋକମାନେ ସ୍ୱାଗତ କରିଛନ୍ତି। ଅଗଷ୍ଟ ୩୦ରେ ଜନ୍ମାଷ୍ଟମୀ ଉପଲକ୍ଷେ ମଥୁରା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ ଧାର୍ମିକ ନେତା ତଥା ସହରର ଲୋକଙ୍କ ଇଚ୍ଛା ଅନୁଯାୟୀ ମଥୁରାରେ ମାଂସ ଓ ମଦ ବିକ୍ରିକୁ ବାରଣ କରାଯିବ। ତାଙ୍କ କହିବାନୁସାରେ, ଏହି ଅଞ୍ଚଳରେ କ୍ଷୀର ଉତ୍ପାଦନ ଏବଂ ବିକ୍ରୟକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ମଦ ଏବଂ ମାଂସ ବ୍ୟବସାୟରେ ନିୟୋଜିତ ଥିବା ବ୍ୟକ୍ତିମାନେ ମଥୁରାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଗାରିମାକୁ ପୁନର୍ଜୀବିତ କରିବା ପାଇଁ କ୍ଷୀର ବିକ୍ରୟ ଆରମ୍ଭ କରିପାରିବେ ବୋଲି ସେ କହିଛନ୍ତି।

Comments are closed.