ଅଣ-ପାରମ୍ପରିକ ଖାଦ୍ୟର ଆବଶ୍ୟକତା

- ଶୁଭାଶିଷ ପୃଷ୍ଟି

କରୋନା ମହାମାରୀ କେବଳ ଜନଜୀବନ ଓ ଅର୍ଥନୀତି ପାଇଁ ବିପଦରୂପେ ଉଭା ହୋଇନି, ବରଂ ଏହା ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି କରିବାକୁ ଯାଉଛି। ଦୀର୍ଘ ସମୟ ଧରି ତାଲାବନ୍ଦ ପାଳନ କରାଯାଉଥିବାରୁ ବିଭିନ୍ନ ଦେଶର କୃଷି ଓ ଶିଳ୍ପକ୍ଷେତ୍ର ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଅନେକ ଦେଶ ଖାଦ୍ୟଶସ୍ୟ ରପ୍ତାନୀ ଉପରେ କଟକଣା ଜାରି କରିସାରିଲେଣି। ଭାରତ ଓ ଭିଏତନାମ ଚାଉଳ ରପ୍ତାନୀ ବନ୍ଦ କରିଥିବାବେଳେ ରୁଷ ପ୍ୟାକେଟ ଖାଦ୍ୟର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ସାରିଲାଣି। ଭାରତରେ ଗହମ ଫସଲ ନଷ୍ଟ ହେବାର ସଂକଟ ରହିଥିବାବେଳେ ଶ୍ରମିକ ଅଭାବ ହେତୁରୁ ୟୁକେରେ ଲିଚି ଅମଳ ପ୍ରଭାବିତ ହୋଇଛି। ମାଲବାହୀ ଜଳଜାହାଜ ଚଳାଚଳ ବନ୍ଦ ରହିଥିବାରୁ ଆଫ୍ରିକାରୁ ୟୁରୋପକୁ ପନିପରିବା ରପ୍ତାନୀ ଓ ଆମେରିକାରୁ ଭାରତକୁ ଫଳ ଆମଦାନୀ ବ୍ୟାହତ ହୋଇଛି।

ଜାତିସଂଘ ଅଧୀନ ‘ଫୁଡ଼ ଆଣ୍ଡ ଏଗ୍ରିକଲ୍‍ଚର ଅର୍ଗାନାଇଜେସନ (ଫାଓ)ଦ୍ୱାରା ବିଶ୍ୱବାସୀଙ୍କୁ ସତର୍କ କରାଇ ଦିଆଯାଇଛି ଯେ ବିଶ୍ୱ ବର୍ତ୍ତମାନ ଏକ ବଡ଼ ଖାଦ୍ୟସଙ୍କଟ ଆଡ଼କୁ ଗତି କରୁଅଛି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଆମକୁ ବିଶ୍ୱ ଖାଦ୍ୟ ଆପୂର୍ତ୍ତି ଶୃଙ୍ଖଳକୁ (ଫୁଡ୍‍ ସପ୍ଲାଇ ଚେନ୍‍) ବଞ୍ଚାଇ ରଖିବାକୁ ହେବ। କାରଣ ବିଶ୍ୱରେ ୮୦ ପ୍ରତିଶତ ଖାଦ୍ୟ ଏହି ଆପୂର୍ତ୍ତି ଶୃଙ୍ଖଳ ଉପରେ ସିଧାସଳଖ ନିର୍ଭର କରିଥାଏ। ଏହି କାରଣରୁ ବର୍ତ୍ତମାନର ସ୍ଥିତି ତଥା ଭବିଷ୍ୟତରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରମ୍ପରିକ ଖାଦ୍ୟଶସ୍ୟର ବିକଳ୍ପ ସନ୍ଧାନ ଓ ବୈଜ୍ଞାନିକ ଗବେଷଣା ଦ୍ୱାରା ବ୍ୟବହାର ଉପଯୋଗୀ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡର ଏଡ୍‍ ୱାର୍ଡସ ଏକ ଶ୍ୱସନୀୟ ଖାଦ୍ୟ ଯନ୍ତ୍ର ଉଦ୍ଭାବନ କରିଥିଲେ ଯାହାର ନାମ ଥିଲା “ଲେ ହ୍ୱିଫ”। ଏହାଦ୍ୱାରା ଚକୋଲେଟ୍‍କୁ ସ୍ପ୍ରେ ଆକାରରେ ବ୍ୟବହାର କରାଯାଉଥିଲା। ପରବର୍ତ୍ତୀ ସମୟରେଏହି ଯନ୍ତ୍ରରେ ବିଭିନ୍ନ ପରିବର୍ତ୍ତନ କରାଯାଇ “ଲେ ହ୍ୱାଫ” ନାମରେ ଏହାକୁ ଆମେରିକୀୟ ବଜାରରେ ପ୍ରବେଶ କରାଗଲା, ଯାହାର ଦଶମିନିଟ୍‍ ବ୍ୟବହାର ଉପଭୋକ୍ତାକୁ ୨୦୦ କ୍ୟାଲୋରୀ ଶକ୍ତି ଯୋଗାଇପାରିଲା। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ମହାକାଶଚାରୀଙ୍କ ସୁବିଧା ତଥା ମିଶନ ସମୟରେ ଖାଦ୍ୟର ଅପଚୟ ରୋକିବା ନିମନ୍ତେ ଥ୍ରୀଡି ମୁଦ୍ରିତ ଖାଦ୍ୟର ବ୍ୟବହାର ପ୍ରୟୋଗାତ୍ମକ ଭାବେ ୨୦୧୩ ମସିହାରୁ ଆରମ୍ଭ କରିଛି। ଏଥିପାଇଁ ଆବଶ୍ୟକତା ରହିଛି ଏକ ସ୍ୱୟଂଚାଳିତ ଥ୍ରୀଡି ମୁଦ୍ରିତ ଖାଦ୍ୟ ପ୍ରିଣ୍ଟରର, ଯାହା ଯେକୌଣସି ସମୟରେ ଉପଭୋକ୍ତାର ଅନୁଦେଶ ଅନୁଯାୟୀ ବିଭିନ୍ନ ସ୍ୱାଦ ତଥା ଆକାରର ଖାଦ୍ୟ ପ୍ରସ୍ତୁତ କରିପାରିଥାଏ।

ଖାଦ୍ୟ ବିଶେଷଜ୍ଞମାନଙ୍କ ମତରେ ଭବିଷ୍ୟତରେ ପ୍ରାଣୀମାନଙ୍କଠାରୁ ମିଳୁଥିବା ପ୍ରୋଟିନର ବିକଳ୍ପ ଭାବେ କୀଟପତଙ୍ଗଙ୍କଠାରୁ ପ୍ରସ୍ତୁତ ପ୍ରୋଟିନ ଜନସମାଜରେ ଆଦୃତି ଲାଭ କରିବ। ବର୍ତ୍ତମାନ ବିଶ୍ୱରେ ୨୦୦ କୋଟି ଲୋକ ୨ହଜାରରୁ ଅଧିକ ପ୍ରଜାତିର କୀଟମାନଙ୍କୁ ଖାଦ୍ୟ ହିସାବରେ ଗ୍ରହଣ କରିଥାନ୍ତି। କୀଟମାନେ ହେଉଛନ୍ତି ପୁଷ୍ଟିସାର ଓ ଖଣିଜ ଉପାଦାନର ଭଣ୍ଡାର। ମାଂସ ତୁଳନାରେ ଏଥିରେ ଖୁବ୍‍ କମ୍‍ ସ୍ନେହସାର ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର। ଜୀବଜନ୍ତୁଙ୍କୁ ପାଳିବା ଅପେକ୍ଷା କୀଟଚାଷ କରିବା ବେଶ ସହଜ। ଏହା କମ୍‍ ସାଧନରେ ସମ୍ଭବପର ହେଉଥିବାବେଳେ ପରିବେଶ ପ୍ରତି ମଧ୍ୟ କ୍ଷତିକାରକ ନୁହେଁ। ଖାଦ୍ୟ ଶୃଙ୍ଖଳାର ଏକ ଉତ୍ତମ ବିକଳ୍ପ ରୂପେ ଶୈବାଳକୁ ବ୍ୟବହାର କରାଯାଇ ପାରିବ। ଏହା ପୁଷ୍ଟିସାର ଓ ବିଭିନ୍ନ ଜୈବ ରସାୟନରେ ଭରପୂର ଅଟେ। ଏହାକୁ ଖାଦ୍ୟ ହିସାବରେ ବ୍ୟବହାର କରାଯିବା ସହିତ ଶିଳ୍ପ କ୍ଷେତ୍ର ପାଇଁ ଜେଲ, ଅଗର, ଆଲଜିନେଟ, କାରାଜିନାନ ଭଳି ଦ୍ରବ୍ୟ ପ୍ରସ୍ତୁତି କରାଯାଇପାରୁଛି। ଏହାକୁ ମଧ୍ୟ ମାଛ, ମାଂସ, ଦୁଗ୍ଧ ତଥା ତେଲ ଜାତୀୟ ଦ୍ରବ୍ୟ ସହ ବ୍ୟବହାର କରାଯାଇଥାଏ। ଏତଦ୍‍ବ୍ୟତୀତ ଶୈବାଳକୁ ସିଧାସଳଖ ମନୁଷ୍ୟ ତଥା ଗୋଖାଦ୍ୟ ରୂପେ ବ୍ୟବହାର କରାଯାଉଛି। ଉଦାହରଣ ସ୍ୱରୂପ ନୀଳହରିତ୍‍ ଶୈବାଳ “ସ୍ପିରୁଲିନା”କୁ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ଏକ ଉତ୍ତମ ପ୍ରୋଟିନ ଯୁକ୍ତ ଖାଦ୍ୟ ହିସାବରେ ବଜାରରେ ଉପଲବ୍ଧ କରାଯାଉଅଛି।

ଏକବିଂଶ ଶତାବ୍ଦୀର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ପାଥେୟ କରି ବୈଜ୍ଞାନିକମାନେ ଶ୍ୱେତସାର, ହାଇଡ୍ରୋକାର୍ବନର ଓ ଅନ୍ୟ ଜୈବ ରସାୟନକୁ ଉପଯୋଗ କରି ବିଭିନ୍ନ ଅଣ-ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିପାରୁଛନ୍ତି। ଏହି ଉପାୟରେ ସେମାନେ ବିଭିନ୍ନ ଅଣୁଜୀବ, ଯଥା- ଶୈବାଳ, ବୀଜାଣୁ (ବ୍ୟାକ୍ଟେରିଆ), ସୁରାମଣ୍ଡ ଓ କବକମାନଙ୍କର ଶୁଷ୍କ ଜୀବକୋଷ, ଗଛର ପତ୍ର ଆଦିକୁ ମିଶ୍ରଣ କରିଥାଆନ୍ତି। ଏହି ଅଣ-ପାରମ୍ପରିକ ଖାଦ୍ୟ ସମୂହ ପାରମ୍ପରିକ ଖାଦ୍ୟ ଶସ୍ୟର ବିକଳ୍ପ ରୂପେ ବ୍ୟବହୃତ ହେବା ସହିତ ଖାଦ୍ୟର ଗୁଣବତ୍ତା ଓ ପୁଷ୍ଟିବର୍ଦ୍ଧନ କରିବାରେ ବେଶ ସହାୟକ ହୋଇପାରିବ।

ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟାର ବିସ୍ଫୋରଣ ସମଗ୍ର ବିଶ୍ୱରେ କୃଷି ଶିଳ୍ପ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଇଂଲଣ୍ଡ ଦ୍ୱାରା ସଦ୍ୟ ପ୍ରକାଶିତ ବିବୃତି ଅନୁଯାୟୀ ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ୧୫ ଲକ୍ଷ ଲୋକ ପ୍ରତିଦିନ ସଂପୂର୍ଣ୍ଣ ଉପବାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ଏଣୁ କରୋନା ପରି ମହାମାରୀ ଓ ଭବିଷ୍ୟତର ଖାଦ୍ୟ ସଂକଟ ତଥା ଏଥିଜନିତ ମୃତ୍ୟୁରୁ ବର୍ତ୍ତିବା ପାଇଁ ଅଣ-ପାରମ୍ପରିକ ଖାଦ୍ୟର ଉତ୍ପାଦନ ଓ ବ୍ୟବହାର ଆବଶ୍ୟକ ଜରୁରୀ ମନେ ହୁଏ।

Comments are closed.