କଂଗ୍ରେସରେ ‘ଅଣ-ଗାନ୍ଧୀ’ ଅଧ୍ୟକ୍ଷ: ପ୍ରିୟଙ୍କା କହିଲେ ’ଆପତ୍ତି ନାହିଁ’; କିଏ ହେବେ ନୂଆ ‘ମନ-ମୋହନ’?

ଗତ ଲୋକସଭା ନିର୍ବାଚନ ପରେ ଦଳର ପ୍ରଦର୍ଶନକୁ ନେଇ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା ପ୍ରସଙ୍ଗ ପୁଣିଥରେ କଂଗ୍ରେସରେ ମୁଣ୍ଡ ଟେକିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ପରିବାର ବାହାର କାହାରିକୁ କଂଗ୍ରେସ ଅଧ୍ୟକ୍ଷ କରାଯିବା କଥା କହିବା ପରେ ପୁଣିଥରେ କଂଗ୍ରେସ ନେତୃତ୍ବ ଓ ଗାନ୍ଧୀ ପରିବାର ପ୍ରସଙ୍ଗ ନୂଆ ଚର୍ଚା ସୃଷ୍ଟି କରିଛି ।  ୨୦୧୯ ଲୋକସଭା  ନିର୍ବାଚନ ପରେ  ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଇସ୍ତଫା ଦେବା ଓ ସୋନିଆଙ୍କୁ ମଧ୍ୟବର୍ତୀକାଳୀନ ଅଧ୍ୟକ୍ଷ ନିର୍ବାଚିତ କରିବାର ବର୍ଷାଧିକକାଳ ବିତିଯିବା ସତ୍ବେ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇ ନାହାନ୍ତି । ଇତିମଧ୍ୟରେ ସୋନିଆ ଦଳରେ ସର୍ବାଧିକ କାଳ ଧରି ଆନ୍ତରୀଣ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାର ରେକର୍ଡ଼ ମଧ୍ୟ କରିଛନ୍ତି । ସମ୍ପ୍ରତି ଦଳରେ ବରିଷ୍ଠ ଓ ଯୁବ ନେତାଙ୍କ ମଧ୍ୟରେ ଦୂରତ୍ବ ବଢ଼ୁଥିବା ନେଇ ଚର୍ଚା ହେଉଥିବାବେଳେ  ଦଳ​‌ରେ ଗାନ୍ଧୀ ପରିବାର ବାହାରେ କେହି ସର୍ବମାନ୍ୟ ଓ କ୍ଷମତାଶାଳୀ ନେତା ଦଳର ନେତୃତ୍ବ ନେବେ ନା ନୂଆ ନେତୃତ୍ବ ଗାନ୍ଧୀ ପରିବାର ହାତରେ କ୍ରୀଡ଼ନକ ହେବ ତାହା ଏବେ ବି ସନ୍ଦୀହାନ।

ଗାନ୍ଧୀ ପରିବାର ଭିନ୍ନ ଅଧ୍ୟକ୍ଷ ଦୌଡ଼ରେ କେଉଁମାନେ

ବର୍ତମାନ ସମୟରେ ଗାନ୍ଧୀ ପରିବାର ବାହାରୁ କେଉଁମାନେ ଦଳର ନେତୃତ୍ବ ନେବାକୁ ସକ୍ଷମ ତାହା ଆକଳନ କରିବା କଷ୍ଟ । ଦୀର୍ଘବର୍ଷ ଧରି କଂଗ୍ରେସ ଗାନ୍ଧୀ ପରିବାରର ନେତୃତ୍ବକୁ ମାନି ଆସିଛି । ମଝିରେ ମଝିରେ କିଛିକ୍ଷଣ ଲାଗି ଯେଉଁମାନଙ୍କୁ ଦଳର ନେତୃତ୍ବ ଦିଆଯାଇଛି ତାହା ବେଶୀ ସମୟ ତିଷ୍ଠି ପାରିନାହିଁ । ଏପରିକି ନରସିଂହ ରାଓଙ୍କ ପରି ଚତୁର ରାଜନୈତିଜ୍ଞ ଓ ମନମୋହନ ସିଂହଙ୍କ ପରି ବିଚକ୍ଷଣ ଅର୍ଥନୀତିଜ୍ଞ ପ୍ରଧାନମନ୍ତ୍ରୀ ହୋଇଥିଲେ ହେଁ ଦଳର ଲଗାମ ନିଜ ହାତରେ ରଖିବାକୁ ସଫଳ ହୋଇ ପାରିନାହାନ୍ତି । ତେବେ ବର୍ତମାନ ପରିସ୍ଥିତିରେ ଦଳର ନେତୃତ୍ବ ନେବା ନିମନ୍ତେ ଅନେକ ନାଁ ଚର୍ଚାରେ ଥିଲେ ମଧ୍ୟ ରାଜସ୍ଥାନର ବର୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସବୁଠୁ ଆଗୁଆ ଥିବା କୁହାଯାଉଛି । ତାଙ୍କ ନିକଟରେ ଦୃଢ଼  ସାଙ୍ଗଠନିକ କ୍ଷମତା ରହିଥିବା ମଧ୍ୟ ଆଲୋଚନା ହେଉଛି । ଏହାଛଡ଼ା ଗାନ୍ଧୀ ପରିବାରର ବିଶ୍ବସ୍ତ ନେତାଙ୍କ ମଧ୍ୟରୁ ସେ ଜଣେ। ମାତ୍ର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ସେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ସେ ଚାହିଁବେ କି ? ଅନୁରୂପ ଭାବରେ ଗାନ୍ଧୀ ପରିବାରର ଅନ୍ୟତମ ବିଶ୍ବସ୍ତ କୁହାଯାଉଥିବା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାଁ ମଧ୍ୟ ବେଶ ଆଲୋଚନା ପରିଧିରେ ରହିଛି ।  ଦଳରେ ସେ ବରିଷ୍ଠ, ଅଭିଜ୍ଞ ଏବଂ ରାହୁଳଙ୍କର ଘନିଷ୍ଠତମ ନେତାଙ୍କ ମଧ୍ୟରୁ ଜଣେ । ମାତ୍ର ଉତ୍ତରଭାରତରେ ସେ ପ୍ରଭାବଶାଳୀ ହୋଇପାରିବେ କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ ।

ଅନ୍ୟପକ୍ଷରେ ଗାନ୍ଧୀ ପରିବାର ବାହାରୁ ଓ ଗାନ୍ଧୀ ପରିବାରର ବିଶ୍ବସ୍ତ କୁହାଯାଉଥିବା ଗୁଲାମ ନବୀ ଆଜାଦଙ୍କ ନାଁ ମଧ୍ୟ ଏଥିପାଇଁ ଆଲୋଚିତ ହେଉଛି । ମାତ୍ର କଂଗ୍ରେସର ଗୋଟିଏ ଗୋଷ୍ଠୀ ବର୍ତମାନ ସମୟର ଆବଶ୍ୟକତା ଅନୁସାରେ ଦଳକୁ ହିନ୍ଦୁତ୍ବଆଡ଼କୁ କିଛି ପରିମାଣରେ ମୋଡ଼ିବାକୁ ଆଗ୍ରହୀ ଥିବାବେଳେ ଗୁଲାମ ନବୀଙ୍କ ନିଯୁକ୍ତି ନିମନ୍ତେ ଗାନ୍ଧୀ ପରିବାର ପ୍ରସ୍ତୁତ ହୋଇ ନ ପାରନ୍ତି । ଅନୁରୂପ ଭାବରେ କେହି କେହି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ନାଁ ଚର୍ଚାକୁ ଆଣିଥିଲେ ହେଁ ତାହା ଗାନ୍ଧୀ ପରିବାରର ପସନ୍ଦ ହୋଇ ନ ଥିବା କୁହାଯାଉଛି ।

ପୁଣିଥରେ ଚର୍ଚାରେ ମନମୋହନ 

ଗାନ୍ଧୀ ପରିବାର ବାହାରେ  ଦଳର ସଭାପତି ପଦ ନିମନ୍ତେ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାଁ ମଧ୍ୟ ଆଲୋଚନା ପରିଧିରେ ରହିଛି ।  କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଗାନ୍ଧୀ ପରିବାର ପାଇଁ ସମ୍ଭବ ନୁହେଁ । କିଛି ପରିମାଣରେ ସ୍ପଷ୍ଟବାଦୀ କ୍ୟାପଟେନ୍ ଅମରିନ୍ଦରଙ୍କୁ ଦଳର ଗୋଟିଏ ବଡ଼ ଗୋଷ୍ଠୀ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ମନମୋହନଙ୍କ ପ୍ରସଙ୍ଗ ଉଠିବା ବେଳକୁ ପୁଣିଥରେ ୟୁପିଏ-୧ ଓ ୟୁପିଏ-୨ର ରିମୋଟ କଂଟ୍ରୋଲ ସରକାର ଓ ‘୧୦ ଜନପଥ ଦୌଡ଼’ କଥା ସ୍ବାଭାବିକ ଭାବରେ ଦଳର ନେତାଙ୍କ ମନକୁ ଆସୁଛି । ମନମୋହନ ସରକାରର ନିଷ୍ପତ୍ତି ୧୦ ଜନପଥରୁ ହେଉଥିବାରୁ ଦଳର ନେତାଙ୍କୁ ସେଠାକୁ ଦୌଡ଼ିବାକୁ ପଡ଼ୁଥିଲା, ତେଣୁ ଏହି କାରଣରୁ ମନମୋହନ ବି ଅନେକଙ୍କ ପାଇଁ ଅଛୁଆଁ । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁକାବିଲା କରିବାର କ୍ଷମତା । ଏହା ହିଁ କଂଗ୍ରେସ ଓ ଗାନ୍ଧୀ ପରିବାର ପାଇଁ ଏବେ ସବୁଠୁ ବଡ଼ ସମସ୍ୟା ହୋଇଛି । ଗାନ୍ଧୀ ପରିବାର ବାହାରେ ଯଦି କାହାରିକୁ ବି ଦଳର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଏ ତେବେ ସେ ମୋଦୀଙ୍କୁ ମୁକାବିଲା କରିବାକୁ ସକ୍ଷମ ହେବେ ତ ? ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ ଦଳର ନେତା କରାଯିବା ପରି ପରିସ୍ଥିତି ଉପୁଜିବ ନାହିଁ ତ ? ଏହା ହିଁ ଗାନ୍ଧୀ ପରିବାର ଓ କଂଗ୍ରେସର ଶୀର୍ଷନେତାଙ୍କୁ ଅକଳରେ ପକାଇଛି ।

Comments are closed.