ଅଣ ଭାଜପାବାଦ ଏବେ ନୁହେଁ ତ କେବେ ? ବିଦ୍ୟାର୍ଥୀ ବିରୋଧୀ ଦଳକୁ ଦେବେ ସଠିକ୍ ମଞ୍ଚ

ଦେଶ ଏକ ସଶକ୍ତ ଏବଂ ସଂଗଠିତ ବିରୋଧୀ ଦଳ ପ୍ରତୀକ୍ଷାରେ ରହିଛି । କେବେ ଅଣ କଂଗ୍ରେସବାଦର ଦବଦବା ରହିଥିଲା ତ, କେବେ ତୋଫାନ ଭଳି ଆସି କଂଗ୍ରେସକୁ କ୍ଷମତାରୁ ଦୂରେଇ ଦେଉଥିଲେ। ୧୯୭୭ ଏବଂ ୧୯୮୯ ହେଉଛି ଏହାର ପ୍ରକୃତ ପ୍ରମାଣ। ଏହାପରେ ଅଟଳଜୀ ଏବଂ ନରେନ୍ଦ୍ର ମୋଦୀଙ୍କୁ ଅଣକଂଗ୍ରେସବାଦର ଲାଭ ମିଳିଲା। କିନ୍ତୁ ଏବେ ଅଣ ଭାଜପାବାଦ ଆଡକୁ ଦେଶ ଅଗ୍ରସର ହେଉଛି। କିନ୍ତୁ ବିରୋଧୀ ଦଳ ଏକାଠି ହୋଇ ପାରିନାହିିଁ। ବିରୋଧୀ ଦଳରେ ଜଣେ ସର୍ବମାନ୍ୟ ନେତାଙ୍କର ଅଭାବ ରହିଛି। ଯିଏକି ଜନତାଙ୍କ ଦ୍ୱାରା ଗ୍ରହଣୀୟ ହେବେ। ତେବେ ଛାତ୍ର ଆନ୍ଦୋଳନକୁ ନେଇ ବିରୋଧୀ ଦଳ ମଧ୍ୟରେ ଏକତାର ବାସ୍ନା ବାରି ହୋଇ ପଡୁଛି, କିନ୍ତୁ ଏହାକୁ ସୁଦୃଢ କରିବା ଭଳି ବିରୋଧୀ ଦଳ ଦେଖାଯାଉ ନାହିଁ। ନୂତନ ନାଗରିକତା ସଂଶୋଧନ ଆଇନ ଅର୍ଥାତ ସିଏଏ ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର ଅର୍ଥାତ ଏନଆରସିକୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଭୂମିକା ତୁଲାଇବା ପାଇଁ ଅନ୍ୟ ଦଳ ଗୁଡିକ କଂଗ୍ରେସ ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି। ମୋଦୀ ସରକାରଙ୍କର ବିରୋଧରେ ଏବେ ସ୍ୱର ଉତ୍ତୋଳନ କରିବା ପାଇଁ ଅନେକ ଗୁଡିଏ ରାଷ୍ଟ୍ରୀୟ ପ୍ରସଙ୍ଗ ରହିଛି। କିନ୍ତୁ ବିରୋଧୀ ଦଳ ଗୁଡିକ ନିଜ ନିଜର ଲାଭକୁ ନେଇ ପରସ୍ପର ମଧ୍ୟରେ ବିବାଦରେ ଲାଗି ରହିବା କାରଣରୁ ବିଜେପିକୁ ପରୋକ୍ଷରେ ଲାଭ ମିଳୁଥିବା ଦେଖାଯାଉଛି। କଂଗ୍ରେସ ଦ୍ୱାରା ଡକାଯାଇଥିବା ବୈଠକରେ ୨୦ଟି ରାଜନୈତିକ ଦଳ ଭାଗ ନେଇଥିଲେ। କିନ୍ତୁ ପ୍ରମୁଖ ରାଜନୈତିକ ଦଳ ଯେପରିକି ବିଏସପି, ଟିଏମସି, ଡିଏମ୍‍କେ, ଆପ୍‍ ଆଦି ଦଳ ଏଥିରୁ ଦୂରେଇ ଗଲେ। ଯାହା ବିରୋଧୀ ଏକତା କ୍ଷେତ୍ରରେ ଏକ ବଡ଼ ଝଟକା। ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଟ୍ୱିଟ କରି କହିଥିଲେ କି ତାଙ୍କ ପାର୍ଟି ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କଂଗ୍ରେସ ନେତୃତ୍ୱରେ ହେବାକୁ ଥିବା ବୈଠକରେ ଭାଗ ନେବ ନାହିଁ। ମାୟାବତୀ କହିଥିଲେ କି ରାଜସ୍ଥାନରେ କଂଗ୍ରେସକୁ ବିଏସପି ବାହାରୁ ସମର୍ଥନ ଦେଉଥିଲେ ମଧ୍ୟ, ସେମାନେ ଦ୍ୱିତୀୟ ଥର ପାଇଁ ଆମ ବିଧାୟକଙ୍କ ଏକତା ଭଙ୍ଗ କରି ନିଜ ଦଳରେ ସାମିଲ କରି ନେଲେ। ଏହା ହେଉଛି ବିଶ୍ୱାସଘାତକତା। ଏଭଳି ପରିସ୍ଥିତିରେ କଂଗ୍ରେସ ଦ୍ୱାରା ଆହୁତ ବୈଠକରେ ବିଏସପି ସାମିଲ ହେବା ରାଜସ୍ଥାନରେ ଦଳୀୟ କର୍ମୀଙ୍କ ମନୋବଳ ଉପରେ ପ୍ରଭାବ ପକାଇବ। ସେହିପରି ଆମ୍‍ ଆଦମୀ ପାର୍ଟି ଏବଂ ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଶିବସେନା କହିଥିଲା ଯେ, ସେମାନଙ୍କୁ ଏଥିପାଇଁ ନିମନ୍ତ୍ରଣ ମିଳି ନଥିଲା। ଅନ୍ୟପକ୍ଷରେ ମମତା ବାନାର୍ଜୀ ପ୍ରଥମରୁ ନିଜକୁ ଏଥିରୁ ଅଲଗା ରଖିଥିଲେ।

Pic. Credit : business-standard.com

ବିଏସପି ପ୍ରମୁଖ ମାୟାବତୀ ପ୍ରଥମରୁ ହିଁ ସିଏଏ ଏବଂ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଟିଏମସି ପ୍ରମୁଖ ମମତା ବାନାର୍ଜୀ ପଶ୍ଚିମ ବଙ୍ଗରେ ସିଏଏ ଏବଂ ଏନଆରସି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ ଜାରି ରଖିଛନ୍ତି। ସେହିପରି ଶିବସେନା ମଧ୍ୟ ସିଏଏକୁ ସମର୍ଥନ ଦେଉଥିବା ଜଣାପଡୁ ନାହିଁ। ଏହା ପରେ ମଧ୍ୟ ବିରୋଧୀ ଦଳ ଏକତ୍ରିତ ହେବା ନେଇ ଏହି ବୈଠକରେ ବେଶ ଦୂରତା ଦେଖିବାକୁ ମିଳିଲା। ଯାହା ଲୋକସଭା ସମୟର ସେହି ସ୍ମୃତିକୁ ମନେ ପକାଇ ଦେଲା ଯେତେବେଳେ ପ୍ରାୟ ଏକାଠି ହୋଇଥିବା ଦେଖିବାକୁ ମିଳିଥିବା ବିରୋଧୀ ଦଳ ନିର୍ବାଚନ ଆସିବା ବେଳକୁ ଭାଗ ଭାଗ ହୋଇଗଲେ। ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ମଧ୍ୟ ନିଜ ଦମ୍‍ରେ ନିର୍ବାଚନ ଲଢିଲା। ଏହା ସହିତ ଅନ୍ୟ ଦଳମାନେ ମଧ୍ୟ କୌଣସି ନା କୌଣସି ଦଳର ନେତୃତ୍ୱ ସ୍ୱୀକାର କରିବାକୁ ମନା କରି ଦେଇଥିଲେ। ପୁଣି ଥରେ ସିଏଏ ଏବଂ ଏନଆରସିକୁ ନେଇ ବିରୋଧୀ ଦଳ ସରକାରଙ୍କ ବିରୁଦ୍ଧରେ ଏକାଠି ହେବା ଦେଖିବାକୁ ମିଳୁଥିବା ବେଳେ ସେମାନେ ପୁଣି ଅଲଗା ହୋଇଗଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏକାଠି ହେଉ ହେଉ ବିରୋଧୀ ଦଳ ଅଲଗା ହୋଇଗଲେ? ବିିରୋଧୀ ଏକତାରେ କାହିଁକି ଫାଟ ସୃଷ୍ଟି ହେଉଛି।
ରାଜନୈତିକ ବିଶ୍ଳେଷକ ମଧ୍ୟ ମତ ଦେଉଛନ୍ତି କି ଯେଉଁଭଳି ଭାବେ ଏକାଠି ହେବା କଥା,ସେଭଳି ଭାବରେ ନା ସଂସଦ ଭିତରେ ଅବା ବାହାରେ ବିରୋଧୀ ଦଳ ଏକାଠି ହୋଇ ପାରୁ ନାହାନ୍ତି। ବାସ୍ତବରେ ଏଥିରେ ନିଜସ୍ୱ ହିତ ରହିଛି। ଯେପରି ମମତା ବାନାର୍ଜୀ କହୁଛନ୍ତି ସେ ପଶ୍ଚିମ ବଙ୍ଗରେ ନିଜସ୍ୱ ଶୈଳୀରେ ଏହାର ବିରୋଧ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ପୁଣି ଆଗାମୀ ନିର୍ବାଚନରେ ତାଙ୍କୁ କଂଗ୍ରେସ ଏବଂ ବାମ ଦଳ ବିପକ୍ଷରେ ଲଢିବାକୁ ପଡିବ। ଶିବସେନା ହିନ୍ଦୁତ୍ୱବାଦୀ ଦଳ ହୋଇ ମଧ୍ୟ ଏନେଇ ନିଜର ଆଭିମୁଖ୍ୟ ସ୍ୱଷ୍ଟ କରୁ ନାହିଁ। ଅନ୍ୟ ପକ୍ଷରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ କିନ୍ତୁ ଏକତା ଦେଖିବାକୁ ମିଳିଛି।
ତେଣୁ ଏପରି ଲାଗୁଛି ଯେ ବିରୋଧୀ ଏକତା ପରିଚାଳନାରେ ମଧ୍ୟ ତୃଟି ରହିଛି। କିନ୍ତୁ ବିଶିଷ୍ଟ ରାଜନେତାମାନେ ଏହା ସ୍ୱୀକାର କରିଛନ୍ତି ଯେ ଦିନେ ନା ଦିନେ ସେମାନଙ୍କୁ ଏକାଠି ହେବାକୁ ପଡିବ। ହୋଇପାରେ ବର୍ତ୍ତମାନ ଉଚିତ ସମୟ ଆସିନାହିଁ। ମୋଦୀଙ୍କ ବରୁଦ୍ଧରେ ମଜବୁତ ବିରୋଧୀ ଦଳ ପାଇଁ ପକ୍ଷ ତ, ଅଛନ୍ତି କିନ୍ତୁ ସଫଳ ପ୍ରୟାସ ହୋଇପାରି ନାହିଁ। ବିରୋଧୀ ଦଳର ଛୋଟ ଛୋଟ କଥା ଓ ସ୍ୱାର୍ଥ ପାଇଁ ଏହି ଏକତା ସମ୍ଭବ ହୋଇପାରୁ ନାହିଁ।

Image Source ; theprint.in

ବିରୋଧୀ ଦଳ ସିଏଏ ଏବଂ ଏନଆରସିକୁ ବିରୋଧ କରି ଚାଲିଥିଲେ ମଧ୍ୟ, ସେମାନେ ସଦା ସର୍ବଦା ଛାତ୍ରମାନଙ୍କ ମାଧ୍ୟମରେ ହିଁ ବିରୋଧ ପ୍ରଦର୍ଶନ କରୁଛନ୍ତି। ବାମଦଳଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ଦଳ ଅବା ତାଙ୍କର ଛାତ୍ର ସଂଗଠନ ଖୋଲାଖୋଲି ଭାବେ ଏନେଇ ସାମ୍ନାକୁ ଆସୁ ନାହାନ୍ତି। ଏହା ପଛରେ ହିନ୍ଦୁ ଧ୍ରୁବୀକରଣର ରାଜନୀତି ଏକ ବଡ଼ କାରଣ ହୋଇପାରେ। ମୋଦୀ ସରକାର କହିଛନ୍ତି ଏହି ଆଇନ ଅଣ ମୁସଲମାନ ଉତ୍ପିଡୀତ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଧିଷ୍ଟ। ଅନ୍ୟପକ୍ଷରେ ରାଜନୈତିକ ଦଳମାନଙ୍କୁ ଭୟ ରହିଛି କି ଖୋଲାଖୋଲି ଭାବେ ଆଗକୁ ଆସିଲେ ହୁଏତ ସେମାନେ ନିଜର ହିନ୍ଦୁ ଭୋଟ ହରାଇ ବସିବେ। ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ନେତା ସେମାନଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି କିିନ୍ତୁ ନିଜ ତରଫରୁ କୌଣସି ବିରୋଧ ପ୍ରଦର୍ଶନ କରୁ ନାହାନ୍ତି। ତାଙ୍କ ସହିତ ଜଡିତ ଛାତ୍ର ସଂଗଠନ ମଧ୍ୟ ଏ ନେଇ ପଦକ୍ଷେପ ନେଉ ନାହାନ୍ତି। ଏପରି ଅନୁଭବ ହେଉଛି କି ସମସ୍ତ ଦଳ ଏକାଠି ହୋଇ ଏଭଳି ଭାବେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବାର କ୍ଷମତାରେ ନାହାନ୍ତି। ସତେ ଯେପରି କଂଗ୍ରେସ ଦଳ ସାଂଗଠନିକ ସ୍ତରେ ଦୁର୍ବଳ ହୋଇ ଯାଇଛି। କିନ୍ତୁ ଆଞ୍ଚଳିକ ଦଳ ଏହି ପ୍ରସଙ୍ଗରେ ସୁଦୃଢ ଅଛି। କିଛି ଲୋକ ବିରୋଧ ପ୍ରଦର୍ଶନ ପାଇଁ ରାଜନୈତିକ ଦଳରେ ସଫଳ ନେତୃତ୍ୱ ନ ରହିବାକୁ ମଧ୍ୟ ଭଲ କଥା ବୋଲି ମାନୁଛନ୍ତି। କାରଣ ସେମାନଙ୍କୁ ଲାଗୁଛି ବୋଧହୁଏ କେହି ଜୟ ପ୍ରକାଶ ନାରାୟଣ ଭଳି ନିଶ୍ଚୟ ଆସିବେ। ସିଏଏ ଏବଂ ଏନଆରସି ବିରୁଦ୍ଧରେ ବିରୋଧରେ ନେତୃତ୍ୱ ନେବା ନେବାର ପ୍ରଶ୍ନ ଉପରେ କିଛି ନେତା କହୁଛନ୍ତି ଯେ, ସଂମ୍ପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଛାତ୍ର ଏବଂ ଯୁବକମାନେ କରୁଛନ୍ତି। ଆମେମାନେ ସେମାନଙ୍କୁ ବାହାରୁ ପ୍ରୋତ୍ସାହନ ଦେଉଛୁ। କାରଣ ଏହି ପ୍ରସଙ୍ଗ ବିଦ୍ୟାର୍ଥୀଙ୍କ ହାତରେ ଅଛି ଆଗକୁ ଏହା ନିଶ୍ଚିତ ଏକ ବଡ଼ ସ୍ୱରୂପ ଧାରଣ କରିବ।

-: ମହେଶ ଶର୍ମା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)

Comments are closed.