ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କ୍ରମରେ ଗତକାଲି ଚିକିତ୍ସା କ୍ଷେତ୍ରରେ ୩ ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଘୋଷଣା କରାଯିବ ପରେ ଆଜି (ମଙ୍ଗଳବାର) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ଓ ଉତ୍କର୍ଷତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରିବାକୁ ନୋବେଲ କମିଟି ନିଷ୍ପତ୍ତି ନେଇଛି। ଆଜି ନୋବେଲ କମିଟି ଘୋଷଣା କରିଥିବା ତିନି ଜଣ ବୈଜ୍ଞାନିକ ହେଉଛନ୍ତି କାନାଡ଼ା-ଆମେରିକୀୟ ପଦାର୍ଥ ବିଜ୍ଞାନୀ ଜେମ୍ସ ପେବଲସ ଏବଂ ସ୍ୱିଜରଲାଣ୍ଡର ବୈଜ୍ଞାନିକ ମାଇକେଲ ମେୟର ଓ ଦିଦିଅର କ୍ଵୱେଲଜ। ଏହି ପୁରସ୍କାରର ଅର୍ଦ୍ଧେକ ଜେମ୍ସ ପେବଲସଙ୍କୁ ମିଳିଥିବା ବେଳେ ମାଇକେଲ ମେୟର ଓ ଦିଦିଅର କ୍ଵୱେଲଜ ଅର୍ଦ୍ଧେକ ପାଇବେ। ସୌର ଶକ୍ତି ଗବେଷଣା କ୍ଷେତ୍ରରେ ଦିଦିଅର କ୍ଵୱେଲଜ ଏବଂ ବିଶ୍ୱତତ୍ତ୍ୱ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେମ୍ସ ପେବଲ୍ସ ଓ ମାଇକେଲ ମେୟରଙ୍କୁ ଏହି ନୋବେଲ ପୁରସ୍କାର ଦିଆଯିବ।

୧୯୩୫ରେ କାନାଡ଼ାରେ ଜନ୍ମିତ କାନାଡ଼ା-ଆମେରିକୀୟ ପଦାର୍ଥ ବିଜ୍ଞାନୀ ଜେମ୍ସ ପେବଲସ ଏବେ ଆମେରିକାର ପ୍ରିନସଟନ ବିଶ୍ୱବିଦ୍ୟାଳୟରେ ଆଲବର୍ଟ ଆଇନଷ୍ଟାଇନ ବିଜ୍ଞାନ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ୱିଜରଲାଣ୍ଡରେ ୧୯୪୨ରେ ଜନ୍ମିତ ମାଇକେଲ ମେୟର ଜେନେଭା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ୧୯୬୬ରେ ଜନ୍ମିତ ଦିଦିଅର କ୍ଵୱେଲଜ ଜେନେଭା ବିଶ୍ୱବିଦ୍ୟାଳୟ ଏବଂ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ୟାନ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାଁ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି ନୋବେଲ କମିଟି କହିଛି। ଅକ୍ଟୋବର ୯ରେ ରସାୟନ ବିଜ୍ଞାନ, ଅକ୍ଟୋବର ୧୦ରେ ସାହିତ୍ୟ, ଅକ୍ଟୋବର ୧୧ରେ ଶାନ୍ତି ଓ ଅକ୍ଟୋବର ୧୪ରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ। ନୋବେଲ ପୁରସ୍କାର ବିଜେତାଙ୍କୁ ସାଢେ ଚାରି କୋଟି ଟଙ୍କାର ଆର୍ଥିକ ରାଶି ସହ ୨୩ କ୍ୟାରେଟ ସୁନାରେ ତିଆରି ୨୦୦ ଗ୍ରାମର ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଥାଏ।

Comments are closed.