ବାଙ୍କୀ ବ୍ଲକର ବିଭିନ୍ନ ସ୍କୁଲରେ କୃମି ନାଶକ ଦିବସ ପାଳିତ

ବାଙ୍କୀ : ବାଙ୍କୀ ବ୍ଲକର ବିଭିନ୍ନ ସ୍କୁଲରେ ଜାତୀୟ କୃମି ନାଶକ ଦିବସ ଅବସରରେ ୧ବର୍ଷରୁ ୧୯ବର୍ଷ ପୁଲା ମାନଙ୍କୁ କୃମି ନାଶକ ବଟିକା ଖାଇବାକୁ ଦିଆଯାଇଛି।

ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ତୁଳସୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳନ ଅସବସରରେ ୧ବର୍ଷରୁ ୧୯ବର୍ଷ ପୁଲା ମାନଙ୍କୁ କୃମି ନାଶକ ବଟିକା ଖୁଆଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁକୂଲ୍ୟରେ ସଞ୍ଚାଳିତ କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଦାସ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବରେ ତୁଳସୀପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପୂର୍ଣ୍ଣମାସି ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ନମିତା କୁମାରୀ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ସରପଞ୍ଚ ଶରତ କୁମାର ପ୍ରଧାନ, ସମିତି ସଭ୍ୟ ନାରାୟଣ ଜେନା, ମହିଳା ସ୍ୱାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ଦାସ, ଆଶା କର୍ମୀ ଦମୟନ୍ତୀ ଚିନାରା ଓ ସଞ୍ଜୁକ୍ତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୃମି ନାଶକ ବଟିକା ଖାଇବାକୁ ଦିଆଯିବା ସହିତ କୃମି ନାଶକ ଦିବସ ପାଳନ ସମ୍ପର୍କରେ ସଚେତନ କରାଯାଇଥିଲା। ସୂଚନା ଅନୁଯାୟୀ ଶୁକ୍ରବାର ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଓ ଛାତ୍ର ଛାତ୍ରୀ ମାନଙ୍କୁ ବଟିକା ଖାଇବା ପାଇଁ ଦିଆଯାଇଛି । ପ୍ରତି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି । ଡମପଡା ବ୍ଲକର ସର୍ବମୋଟ ୨୦ହଜାର ୮୦୬ଜଣ ପିଲା ମାନଙ୍କୁ କୃମି ନାଶକ ବଟିକା ଖୁଆଇବାର ଧାର୍ଯ୍ୟ କରାଯାଇଥିବା ଜଣାପଡିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷିକା ଡାକ୍ତର ପୁଷ୍ପଲତା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଛି।

ସରଣ୍ଡା ବିଦ୍ୟାପୀଠ

ସୁବର୍ଣ୍ଣପୁରଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର ଦିନ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମି ନାଶକ ବଟିକା ପିଲା ମାନଙ୍କୁ ଖାଇବାକୁ ଦିଆଯାଇଛି । ଜାତୀୟ କୃମି ନାଶକ ଦିବସ ପାଳନ ଅବସରରେ ସ୍ଥାନୀୟ ସରଣ୍ଡା ବିଦ୍ୟାପୀଠ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନଭଞ୍ଜନ ଦଳାଇଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେଫାଳିକା ଦାସ, ସହକାରୀ ଶିକ୍ଷକ ମନୋଜ କୁମାର ସାହୁ, ପ୍ରିତିଲତା ବେଉରା, ମନୋଜ କୁମାର ବେହେରା, ଶିବପ୍ରସାଦ ପାଇକରାୟ, ଗଜେନ୍ଦ୍ର କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ବିଦ୍ୟାର୍ଥି ମାନଙ୍କୁ କୃମି ନାଶକ ଦିବସ ପାଳନର ତାତ୍ପର୍ଯ୍ୟ ଓ ପ୍ରତିଶେଧକ ବଟିକା ଖାଇବାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ସୂଚନା ଅନୁଯାୟୀ ବାଙ୍କୀ ବ୍ଲକର ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ୨୨ହଜାର ୪୮୦ଜଣ ପିଲାଙ୍କୁ କୃମି ନାଶକ ବଟିକା ଖାଇବାକୁ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସେଥିମଧ୍ୟରୁ ଅଙ୍ଗନବାଡି କେନ୍ଦ୍ରରେ ୭ହଜାର ୨୧ଜଣ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ୧୫ହଜାର ୪୫୯ଜଣ ପିଲା ବଟିକା ଖାଇବେ। ଅଧିକ୍ଷକ ଡାକ୍ତର ଅମରେଶ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସଂଗୀତା ଦାସ,ଏଲଏଚଭି ଲକ୍ଷ୍ମୀ ସାହୁ ଓ ଆଶା କର୍ମୀ ଛବିରାଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.