ହାତ ବାନ୍ଧି ବସିଛନ୍ତି ଅଟୋଚାଳକ
-ଜରୁରୀକାଳୀନ ସେବାରେ ସାମିଲ ପାଇଁ ସିପିଙ୍କୁ ଚିଠି, -ବିନା ରାସନ କାର୍ଡ ଚାଳକଙ୍କୁ ୫୦୦୦ ଟଙ୍କା ଦେବାକୁ ଦାବି

ଭୁବନେଶ୍ୱର : ହାତ ବାନ୍ଧି ବସିଛନ୍ତି ଅଟୋଚାଳକ। କରୋନା ବୁଡ଼ାଇଛି ବେପାର। ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଅଟୋ ରହିଥିବାବେଳେ ଗୋଟିଏ ବି ଅଟୋ ଗଡୁନି। ଲକ୍ ଡାଉନ୍ରେ ସବୁ ଜିଲାର ଅଟୋ ଏବେ ଲକ୍ ହୋଇ ରହିଛି। ଦୀର୍ଘ ୩୦ ଦିନ ହେବ ହେବ କରୋନା ନିମନ୍ତେ ଏଭଳି ଅବସ୍ଥା ହୋଇଥିବାବେଳେ ଆଗକୁ ଆଉ କେତେଦିନ ବନ୍ଦ ରହିବ ତାହା ବି କହିବା ମୁସ୍କିଲ। ଅଟୋ ଗଡୁନଥିବାବେଳେ ଅନେକ ଅଟୋ ଚାଳକଙ୍କ ପରିବାର ଅବସ୍ଥା ବିଗିଡ଼ିବାରେ ଲାଗିଛି। ରାଜଧାନୀରେ ପ୍ରାୟ ୩୦ ହଜାର ଅଟୋ ରହିଥିବାବେଳେ କଟକରେ ପ୍ରାୟ ୫ହଜାରରୁ ଅଧିକ ଅଟୋ ରହିଛି। ଅନେକ ଚାଳକ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୋଗୁଁ ସେମାନଙ୍କ ରାସନ କାର୍ଡ ନାହିଁ। ସରକାରୀ ସହାୟତା ବି ନାହିଁ। ତେଣୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି।
ଅଟୋଚାଳକ ତଥା ଅଟୋ ମାଲିକମାନେ କରୋନାରେ ବେଶ୍ କ୍ଷତି ସହିଲଣି। ରାଜ୍ୟ ସରକାର ସାଧାରଣ ଲୋକଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ସହାୟତା ପ୍ରଦାନ କରୁଛନ୍ତି। ମାତ୍ର ଅଟୋ ଗଡ଼ିଲେ ଯାହା ପରିବାର ଚଳେ ସେମାନଙ୍କ ଅବସ୍ଥା ସଙ୍ଗୀନ। ଏନେଇ ପ୍ରତି ଅଟୋ ଚାଳକଙ୍କୁ ଅତିକମ୍ରେ ୫୦୦୦ ଟଙ୍କା ଦେବାକୁ ରାଜ୍ୟ ଅଟୋ ମହାସଂଘ ଦାବି କରିଛି। ସହରାଞ୍ଚଳରେ ପରିବହନରେ ମୁଖ୍ୟ ଭୂମିକା ବହନ କରିଥାଏ ଅଟୋ। ନୂଆ ପରିବହନ ନିୟମ ଆସିଲା ପରେ ଅନେକ କଷ୍ଟ କରି ଅଟୋ ଚଳାଉଥିବାବେଳେ ଏବେ ଏହି କରୋନା ଦାଉ ସାଜିଛି।
ମହାସଂଘ କର୍ମକର୍ତ୍ତାଙ୍କ କହିବା ଅନୁସାରେ ଦିନକୁ ଅତିକମ୍ରେ ୩୦୦ରୁ ୫୦୦ ଟଙ୍କା ପ୍ରତି ଅଟୋ ଚାଳକ ରୋଜଗାର କରିଥାନ୍ତି। ୩୦ ଦିନ ବନ୍ଦ ହୋଇଛି ଆଗକୁ ଆହୁରି ୧୦ରୁ ୧୫ ଦିନ ବନ୍ଦ ହେବ। ତେଣୁ ଅନେକ କ୍ଷତି ହେବା ପରେ ସରକାର ଅତିକମ୍ରେ ୫୦୦୦ ଟଙ୍କା ଦେବାକୁ ସଂଘ ଦାବି କରିଛି। ସେହିପରି ରାଜ୍ୟରେ ଅନେକ ହସ୍ପିଟାଲ ଥିବାବେଳେ ଜରୁରୀକାଳୀନ ସେବା ନିମନ୍ତେ ଅତିକମ୍ରେ ୧୦୦ ଅଟୋ ଚଳାଇବାକୁ ପୁଲିସ କମିସନରଙ୍କ ସହିତ ଡିସିପିଙ୍କୁ ଚିଠି ଲେଖିଛି ସଂଘ। ତେଣୁ ସରକାର, ପରିବହନ ବିଭାଗ ଏବଂ ପୁଲିସ କମିସନର ଏଦିଗରେ ପଦକ୍ଷେପ ନେବାକୁ ମହାସଂଘର କାର୍ଯ୍ୟକାରୀ ସମ୍ପାଦକ ପଦ୍ମନ ସାମଲ ନିବେଦନ କରିଛି।