କୋଣାର୍କ ମନ୍ଦିର ପ୍ରତି ବିପଦ ନାହିଁ: ମହେଶ ଶର୍ମା

0
କୋଣାର୍କ ମନ୍ଦିର ତଥ୍ୟ ରାଜ୍ୟ ସରକାରଙ୍କୁ ଦେବ ଏଏସଆଇ

ନୂଆଦିଲ୍ଲୀ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡକ୍ଟର ମହେଶ ଶର୍ମା ଘୋଷଣା କରିଛନ୍ତି। କୋଣାର୍କ ମନ୍ଦିରର ସ୍ଥାୟିତ୍ୱ ଓ ସ୍ଥାପତ୍ୟର ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଶର୍ମା କହିଛନ୍ତି ଯେ ରୁଡ଼କୀ ସ୍ଥିତ ସିବିଆରଆଇ ଭଳି ପ୍ରତିଷ୍ଠିତ ସଂସ୍ଥାର ରିପୋର୍ଟ ଅନୁଯାୟୀ ମନ୍ଦିରର ଅବସ୍ଥା ଏବେ ଠିକ୍‍ ରହିଛି। ଯଦି କୌଣସି ସଂସ୍ଥା କୋଣାର୍କ ମନ୍ଦିର ଅନୁଧ୍ୟାନ କରି ପରାମର୍ଶ ଦିଅନ୍ତି କେନ୍ଦ୍ର ସରକାର ସକାରତ୍ମକ ଭାବେ ସେସବୁକୁ ବିଚାର କରିବେ। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ କୋଣାର୍କ ଓ ପୁରୀ ଜଗନ୍ନାଥ ମନ୍ଦିର ଭଳି ଆନ୍ତର୍ଜାତୀୟ ଐତିହ୍ୟ ଓ କୀର୍ତ୍ତୀରାଜି ସୁରକ୍ଷା ସୌନ୍ଦର୍ଯ୍ୟକରଣ ରକ୍ଷଣାବେକ୍ଷଣ ପ୍ରତି କେନ୍ଦ୍ର ସଂସ୍କୃତି ମନ୍ତ୍ରାଣଳୟ ଗୁରୁତ୍ୱ ଦେଉଛି। ଆଜିର ନିଷ୍ପତି ଅନୁଯାୟୀ କୋଣାର୍କ ମନ୍ଦିର ପ୍ରସଙ୍ଗରେ ଭୂବନେଶ୍ୱରରେ ଆସନ୍ତା ଡିସେମ୍ବର ୧୦ରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। କେନ୍ଦ୍ର ସରକାରଙ୍କ ତରଫରୁ ନିଜେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଶର୍ମା, କେନ୍ଦ୍ର ସଂସ୍କୃତି ମନ୍ତ୍ରାଣଳୟର ବରିଷ୍ଠ ଅଧିକାରୀ, ଭାରତୀୟ ପ୍ରତ୍ତ୍ୱତତ୍ନ ବିଭାଗ ଅଧିକାରୀ ଓ ବିଶେଷଜ୍ଞ ସାମିଲ ହେବେ। ରାଜ୍ୟ ସରକାରଙ୍କ ତରଫରୁ କିଏ ଉପସ୍ଥିତ ରହିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ଥିର କରିବେ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜଣାଇଥିଲେ। ବୈଠକରେ କୋଣାର୍କ ମନ୍ଦିର ସହ ଜଡ଼ିତ ପ୍ରତ୍ୟେକ ସମସ୍ୟାକୁ ଆଲୋଚନା ମାଧ୍ୟମରେ ନିରାକରଣ କରାଯିବ। ଗତ କିଛି ଦିନ ଧରି କୋଣାର୍କ ମନ୍ଦିର ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରକାଶିତ ଚିନ୍ତାକୁ କେନ୍ଦ୍ର ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି ଏବଂ ଖୁବ୍‍ଶୀଘ୍ର ସମସ୍ୟା ସମାଧାନ ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡକ୍ଟର ମହେଶ ଶର୍ମା ସ୍ପଷ୍ଟ କରିଥିଲେ।

ଆଲୋଚନା ସଂପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କୋଣାର୍କ ମନ୍ଦିର ପ୍ରସଙ୍ଗରେ ଗଣମାଧ୍ୟମର ଶଙ୍କା ଓ ଆଶଙ୍କା ନେଇ ଗତ ତିନି ଦିନ ଧରି କେନ୍ଦ୍ର ସରକାର ଓ ଭାରତୀୟ ପ୍ରତ୍ତ୍ୱତତ୍ନ ବିଭାଗସ୍ତରରେ ଆଲୋଚନା ଚାଲିଥିଲା। ମନ୍ଦିରର ରକ୍ଷଣାବେକ୍ଷଣ, ସ୍ଥାୟୀତ୍ୱ ଓ ସୌନ୍ଦର୍ଯ୍ୟକରଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ। ଭୂବନେଶ୍ୱରରେ ପ୍ରସ୍ତାବିତ ଉଚ୍ଚସ୍ତରୀୟ ବୈଠକରେ କୋଣାର୍କ ମନ୍ଦିର ପ୍ରସଙ୍ଗରେ ବିଶେଷଜ୍ଞଙ୍କ ପ୍ରସ୍ତାବ ଗୁଡ଼ିକର ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଜଣାଇଥିଲେ। ବିଶେଷଜ୍ଞଙ୍କ ପ୍ରସ୍ତାବ ଆଲୋଚନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ମଧ୍ୟରେ ସହମତି ପ୍ରକାଶ ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ସେହିପରି ଭାରତୀୟ ପ୍ରତ୍ତ୍ୱତତ୍ନ ବିଭାଗର ମହାନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟିୟରିଂ କମିଟି ବୈଠକ କୋଣାର୍କରେ କରାଇବା ପାଇଁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଅନୁରୋଧ କ୍ରମେ ୧୯୯୭ ଓ ୨୦୧୦ରେ କୋଣାର୍କରେ ଅନୁଷ୍ଠିତ ଆନ୍ତର୍ଜାତିୟ କର୍ମଶାଳାର ତଥ୍ୟ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଓଡ଼ିଶା ସରକାରଙ୍କୁ ଦେବା ପାଇଁ ଆଲୋଚନାରେ ସ୍ଥିର କରାଯାଇଥିଲା। ଖୋର୍ଦ୍ଧା ଠାରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ ସ୍ଥାପନ ପାଇଁ ଆବଶ୍ୟକ ଜମି ପ୍ରସଙ୍ଗ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରତିନିଧି ସହ ଆଲୋଚନା କରିଥିଲେ। ଭୂବନେଶ୍ୱର ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ନିମାପଡ଼ା ବିଧାୟକ ସମୀର ଦାସ ଓ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

Leave A Reply