ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ : ପ୍ରଥମ ଦିନରେ ବିଦ୍ୟାର୍ଥୀଙ୍କ ଉପସ୍ଥିତି ଶୂନ

ଗୋପାଳପୁର : କରୋନା କଟକଣାର ୯ ମାସ ପରେ ଆଜି ରାଜ୍ୟରେ ସମସ୍ତ ବିଶ୍ବବିଦ୍ୟାଳୟ ପାଠପଢ଼ା ନିମନ୍ତେ ଖୋଲିବା ସହ ଶ୍ରେଣୀ ଶିକ୍ଷା ଦାନ ଆରମ୍ଭ ହୋଇଥିଲା, କିନ୍ତୁ ବ୍ରହ୍ମପୁର ସହର ଉପକଣ୍ଠ କନିଷି ଠାରେ ଥିବା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ପ୍ରଥମ ଦିନରେ କୌଣସି  ବିଦ୍ୟାର୍ଥୀ ଉପସ୍ଥିତ ହୋଇ ନ ଥିବା ଜଣାପଡିଛି।
ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ବର୍ତ୍ତମାନ ୬ ଟି ବିଭାଗ ଖୋଲାଯାଇଥିବା ବେଳେ ଦ୍ବିତୀୟ ବର୍ଷ ରେ ୩୭ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। କରୋନା କଟକଣା ଯୋଗୁଁ ଗତବର୍ଷ ଏପ୍ରିଲ ମାସଠାରୁ ବିଶ୍ବବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଅନଲାଇନ ମୋଡରେ ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ହୋଇ ଆସୁଥିଲା। ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରରେ ଏଠାରେ ଅଧ୍ୟୟନ କରୁଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ବିଶ୍ବବିଦ୍ୟାଳୟ ଖୋଲାଯିବା ନେଇ ଅବଗତ କରାଯାଇଥିଲା। ସେହି କ୍ରମରେ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାମ୍ପସ ସମେତ ସମସ୍ତ ଶ୍ରେଣୀ ଗୃହକୁ ସଫାସୁତୁରା କରାଯିବା ସହ ସାନିଟାଇଜ କରାଯାଇଥିଲା। କିନ୍ତୁ ଆଜି ପ୍ରଥମ ଦିନରେ କୈାଣସି ବିଦ୍ୟାର୍ଥୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ନଥିବା ଯୋଗୁଁ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଦ୍ୟାର୍ଥୀ ମାନଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରାଯିବା ସହ ବିଶ୍ବବିଦ୍ୟାଳୟରେ‌ ପହଞ୍ଚି ପାଠପଢି କରିବା ଏବଂ ପ୍ରାକ୍ଟିକାଲ କ୍ଲାସରେ ଯୋଗ ଦେବାକୁ କହୁଯାଇଥିବା କୁଳସଚିବ ଡ଼ ଯୋଗେଶ୍ବର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Comments are closed.