ସାମାଜିକ ସୁରକ୍ଷା ଯୋଜନାର ଗୁମର : ମାସ ସରିବ, ହେଲେ ମିଳିଲା ନାହିଁ ଭତ୍ତା

ଟିଟିଲାଗଡ଼ : ଗରିବ ଅସହାୟ ବିଧବା, ବୃଦ୍ଧ-ବୃଦ୍ଧା, ଭିନ୍ନକ୍ଷମଙ୍କୁ ସମ୍ବିଧାନ ମୁତାବକ ସାମାଜିକ ସୁରକ୍ଷା  ପ୍ରଦାନ ନେଇ ମାସିକ ପାଞ୍ଚ ଶହ ଟଙ୍କା ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି । ପ୍ରତି ମାସ ୧ ତାରିଖ ସୁଦ୍ଧା ତଥାକଥିତ ସରକାରୀ କର୍ମଚାରି ସେମାନଙ୍କ ବେତନ ନେଇ ଯାଉଥିବା ବେଳେ ଅସହାୟ ହିତାଧିକାରୀଙ୍କ ପାଇଁ ସରକାର ମାସର ୧୫ ତାରିଖରେ ସହାୟତା ଦେବାକୁ ଯୋଜନା କରିଛନ୍ତି । ହେଲେ ଆଜି ୩୦ ତାରିଖ ସୁଦ୍ଧା ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ । କିଛି ଟଙ୍କା ପାଇଲେ ଅସହାୟ ବିଧବା, ବୃଦ୍ଧ-ବୃଦ୍ଧା, ଭିନ୍ନକ୍ଷମ ତେଳଲୁଣ କରି ପେଟକୁ ଦିମୁଠା ଯୋଗାଡ କରିଥାନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ୫ କେଜି ଲେଖାଏଁ ଚାଉଳ ଦିନକୁ ତିନି ଓଳି ଭାତ ପଖାଳ ଖାଉଥିବା ଅସହାୟଙ୍କ ପାଇଁ ହାସ୍ୟାସ୍ପଦ ପାଲଟିଛି । ଏହି ପରିପ୍ରେକ୍ଷୀରେ ମାସର ୧୫ ତାରିଖକୁ ଭତ୍ତା ପାଇବା ପାଇଁ ଅସହାୟ ଜଗି ବସି ରହିଥାନ୍ତି । ହେଲେ ସରକାରୀ ରାଜକୋଷରୁ ନିଜର ଭତ୍ତା ନିର୍ଦ୍ଧାରିତ ତାରିଖରେ ନେବା ନିଶ୍ଚିତ କରି ତଳ ମୁଣ୍ଡରେ ରହିଥିବା ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ଠାରୁ ଜିଲାପାଳ, ସଚିବ ଦୀର୍ଘ ୧୫ ଦିନ ଅତିକ୍ରାନ୍ତ ପରେ ମଧ୍ୟ ତାଙ୍କ ମନରେ ଅସହାୟଙ୍କ ପ୍ରତି ସମବେଦନା ପ୍ରକାଶ ନପାଇବା ହିତାଧିକାରୀ ମହଳରେ ନିରାଶା ସହ ବୁଦ୍ଧିଜୀବୀ ମହଳରେ ଉଦବେଗ ପ୍ରକାଶ ପାଇଛି। ଏନେଇ ଅନେକ ବୃଦ୍ଧ-ବୃଦ୍ଧା ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ କାହାକୁ ନପାଇ ନିରାଶ ହୋଇ ଫେରିବା ସଚେତନ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି । ଏସମ୍ପର୍କରେ ଜନୈକ ପଞ୍ଚାୟତ ନିର୍ବାହି ଅଧିକାରୀଙ୍କୁ ପଚାରିବାରୁ ଆମେ ଅନ୍ୟାୟ କରିନାହୁଁ, ଲୋକେ ଆମକୁ କାହିଁକି ବଦନାମ କରୁଛନ୍ତି, ଜିଲା ସାରା ଏଭଳି ହୋଇଛି, ଯଦି ସତ ସାହାସ ଅଛି ତ ବଲାଙ୍ଗିର ଜିଲାପାଳଙ୍କୁ ପଚାରି ସତ୍ୟାସତ୍ୟ ବୁଝନ୍ତୁ ବୋଲି କହିଥିଲେ। ଏସମ୍ବନ୍ଧରେ ବଲାଙ୍ଗିର ଜିଲାପାଳ ଚଞ୍ଚଲ ରାଣା ଫୋନ ଉଠାଉନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.