ସମ୍ବଲପୁର ଜିଲାରେ ସ୍ୱାଧୀନତା ଦିବସ ଓ ନୂଆଁଖାଇରେ ହେବନି ସଟ୍‍ଡାଉନ

ସମ୍ବଲପୁର:  ସମ୍ବଲପୁର ଜିଲାରେ ସ୍ୱାଧୀନତା ଦିବସ ଓ ନୂଆଁଖାଇ ସମୟରେ ଲାଗୁ ହେବନି ସଟ୍‍ଡାଉନ କଟକଣା। ଏନେଇ ଜିଲାପାଳ ଶୁଭମ ସାକ୍ସେନା ଏକ ବିଜ୍ଞପ୍ତି ଜରିଆରେ ଅଗଷ୍ଟ ୧୫ ତାରିଖ ଏବଂ ୨୨ଓ ୨୩ ତାରିଖ ସଟ୍‍ଡାଉନକୁ ବାତିଲ କରିବା ସହ ଅଗଷ୍ଟ ୧୬ ଓ ୧୭ ତାରିଖ ଯଥାକ୍ରମେ ସୋମବାର ଓ ମଙ୍ଗଳବାର ସମଗ୍ର ଜିଲାରେ ସଟ୍‍ଡାଉନ ରହିବ ବୋଲି ନିର୍ଦେଶନାମା ଜାରି କରିଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାପାଳ ଅଗଷ୍ଟ ମାସତମାମ ସମ୍ବଲପୁର ଜିଲାରେ ସମସ୍ତ ଶନିବାର ଓ ରବିବାର ସଟ୍‍ଡାଉନ ଘୋଷଣା କରିଛନ୍ତି। ତେବେ, ତୃତୀୟ ଶନିବାର ସ୍ୱାଧୀନତା ଦିବସ ଓ ଚତୁର୍ଥ ଶନିବାର ଶ୍ରୀଗଣେଶ ପୂଜା ଏବଂ ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡ଼ୁଥିବାରୁ ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ଜିଲା ପ୍ରଶାସନକୁ ସଟ୍‍ଡାଉନ ଦିବସ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଗଣପର୍ବ ନୂଆଁଖାଇ ସମୟରେ ସଟ୍‍ଡାଉନ କଟକଣା କୋହଳ କରିବାକୁ ଅନୁରୋଧ କରିଥିଲେ।

Comments are closed.