ବିକାଶର ପ୍ରତିଶ୍ରୁତି ଫାନ୍ଦରେ ଆଦିବାସୀ; ତୁମୁଡ଼ିବନ୍ଧ ବ୍ଲକର ୫୨ ଗାଁକୁ ନାହିଁ ରାସ୍ତା

ତୁମୁଡ଼ିବନ୍ଧ: ଗୋଟିଏ କି ଦୁଇଟି ନୁହେଁ, ୫୨ଟି ଗାଁକୁ ରାସ୍ତା ନାହିଁ। ଏହା ହେଉଛି ପାହାଡ ପର୍ବତ ଘେରା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକର ବାସ୍ତବ ଚିତ୍ର। ଗମନାଗମନ ଓ ପରିବହନ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ବିପୁଳ ବ୍ୟୟ କରୁଥିଲେ ହେଁ ତୁମୁଡିବନ୍ଧ ବ୍ଲକ ସେଥିରେ ବ୍ୟତିକ୍ରମ। ୧ଲକ୍ଷ ୧୫ହଜାର ୪୫୫.୮୦ ହେକ୍ଟର ପରିମିତ ସ୍ଥାନ ହେଉଛି ତୁମୁଡ଼ିବନ୍ଧ ବ୍ଲକର ଆୟତନ । ଏହାର ସୀମା ଉତ୍ତର ପଶ୍ଚିମରେ କଳାହାଣ୍ଡି ଏବଂ ରାୟଗଡା ଜିଲା ସହ ସଂଯୁକ୍ତ। ଏହି ବ୍ଲକର ମୂଳବାସିନ୍ଦା କହିଲେ କୁଟିଆ କନ୍ଧ, ଆଦୀବାସୀ କନ୍ଧ, ଗଣ୍ଡ, ପାଇକ ଏବଂ ହରିଜନ ସମ୍ପ୍ରଦାୟକୁ ବୁଝାଏ। ଏହି ଜାତି ଓ ଜନଜାତି ତୁମୁଡ଼ିବନ୍ଧ ବ୍ଲକର ୧୧ ଗୋଟି ପଞ୍ଚାୟତର ପାଖାପାଖି ୨୨୩ଟି ରାଜସ୍ୱ, ୩୩ ଟି ହାମଲେଟ ମୋଟ ୨୫୬ଟି ଗ୍ରାମରେ ବସବାସ କରନ୍ତି। ଏମାନେ ପାରମ୍ପରିକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଚାଷ, ଗାଈ ଓ ମଇଁଷି , ଛେଳି, ମେଣ୍ଢା, ଘୁଷୁରି, କୁକୁଡା ପାଳନ ଆଦିରେ ରୁଚି ରଖନ୍ତି। ବର୍ତ୍ତମାନର ଆଧୁନିକତାର ସ୍ପର୍ଷରେ ପନିପରିବା ଚାଷ କିଛିକାଶଂରେ ହେଉଛି। ଏମାନଙ୍କ ଶିକ୍ଷାର ବିକାଶ ପାଇଁ ସମଗ୍ର ବ୍ଲକରେ ୯୦ଟି ପ୍ରାଥମିକ, ୩୩ ଉଚ୍ଚ ପ୍ରାଥମିକ, ୧୪ ଟି ହାଇସ୍କୁଲ, ୨ଟି ମହାବିଦ୍ୟାଳୟ ରହିଛି। ସେହିପରି ସ୍ୱାସ୍ଥ୍ୟସେବା ନିମନ୍ତେ ତୁମୁଡ଼ିବନ୍ଧ, ବେଲଘର, ଲଙ୍କାଗଡ, ସୁନାଗାଁ ଓ କୁର୍ତ୍ତମଗଡ ଠାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ତେବେ ଏହିସବୁ ସୁବିଧା ଉପଲବ୍ଧ ହେବାପାଇଁ ଗାଁ ଗହଳିକୁ ଉତ୍ତମ ଗମନାଗମନ ରାସ୍ତାଟିଏ ନାହିଁ।

ଏକାଧିକ ଗ୍ରାମକୁ ଉପଯୁକ୍ତ ରାସ୍ତା ନଥିବା କାରଣରୁ ଅଧିକାଂଶ ବିଦ୍ୟାଳୟକୁ ଶିକ୍ଷକ ଏବଂ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ କର୍ମୀ ଯିବା ସମସ୍ୟା ଉପୁଜିଛି। ବିକାଶର ଅପହଞ୍ଚ ହୋଇ ରହିଛନ୍ତି ଦୁର୍ଗମାଞ୍ଚଳ ଅଧିବାସୀ । ଏହି ବ୍ଲକର ୫୨ଟି ଗ୍ରାମକୁ ଯୋଗାଯୋଗ ତଥା ଗମନାଗମନ ପାଇଁ ରାସ୍ତା ଖଣ୍ଡିଏ ନଥିବା ବିଡମ୍ବନାର ବିଷୟ। ଆଜିବି ତୁମୁଡ଼ିବନ୍ଧ ପଞ୍ଚାୟତର ନିଲିଙ୍ଗ୍‍ ପଦର, ବଲମ, ପାଜିମାସ୍କା, କଦମ, ଗୁଦୁଗୁଦା, କୁର୍ତ୍ତମଗଡ ପଞ୍ଚାୟତର ଲାଇନ୍‍ ବିନାରି, ସାପାରି, ସାକ୍ରିପଦର, ତଗା, ଡାଣ୍ଡାସି, ମୁଣ୍ଡିଗଡ ପଞ୍ଚାୟତର ସିଲିଙ୍ଗ୍‍, ଘୁମୁରା ଗାଁ, ପ୍ରଦରି, ସେଲାଙ୍ଗ୍‍, ଶିସବାହାଲି, କରୁକୁଡୁପା ପଞ୍ଚାୟତର ଦେଓପାଟା, ପୁନ୍ଦେଡି, ସାନ୍ଦେବାନ୍ଦା, ଗୁଗୁଡୁସୁଗା, ସିର୍ଲା ପଞ୍ଚାୟତର ଶିତାପାଙ୍ଗା, ଜାମ୍ବାଲି, ଗୋଏଲାଡା, ଶିରକୁଟି, ଗଞ୍ଜୁସୁଗା, କରୁଗାଣ୍ଡା, ସରୁପାଟା, ଲିଙ୍ଗେରିମାହା, ବୁର୍କିମାହା, ମୁଣ୍ଡାପାଡା, ଗୁମା ପଞ୍ଚାୟତର କ୍ରାଞ୍ଜା, ଗୋଲମପାଙ୍ଗା, ପୁଡ୍ରୁଙ୍ଗୁ, ବାନ୍ଦ୍ରାସାଲା, ଗୁଚୁକା, ବେଲଘର ପଞ୍ଚାୟତର ବଡକୁମ୍ଭୁଡି, ଦାହାବାଲି, ଦୁନାପଡା, ଲଙ୍କାଗଡ ପଞ୍ଚାୟତର ଗୋଲାମରା, କଟଡଗାଣ୍ଡା, ପସୁଡୁବା, ବାଉକୁଟି, ବାଣ୍ଡିକା, ଝିରିପାଣି ପଞ୍ଚାୟତର ର୍ସୁଡା, କଞ୍ଜଣ୍ଡି, କାଉଗୁଡା, ସାନଝିରିପାଣି, ବିଲାମାଳ ପଞ୍ଚାୟତର ଗୋଲାବେଡା, ଗ୍ରାବାଝୁଲି, ସ୍ରାମ୍ବୁଲି, ଆମ୍ବିଖୋଲ ଏବଂ ଭଣ୍ଡରଙ୍ଗି ପଞ୍ଚାୟତର ଗୁନ୍ଦାବାରୁ, ଡୁସେର୍‍, ଗୁମୁ ଆଦି ଗ୍ରାମଗୁଡିକୁ ଯୋଗାଯୋଗ ନିମନ୍ତେ ରାସ୍ତା ନଥିବା କାରଣରୁ ଏକରକମ ବିଛିନ୍ନ ହୋଇ ରହିଛି।

ସରକାରଙ୍କ ବିଭିନ୍ନ ଯୋଜନାରେ କୋଟିକୋଟି ଅର୍ଥ ବ୍ୟୟ ହେଉଥିଲେ ହେଁ ସତେ ଯେମିତି ଉପେକ୍ଷିତ ହୋଇ ରହିଯାଇଛି ତୁମୁଡ଼ିବନ୍ଧ ବ୍ଲକର ଏହି ୫୨ଟି ଗ୍ରାମ। ଏହି ସବୁ ଗ୍ରାମର ଗ୍ରାମବାସୀ ପଞ୍ଚାୟତରୁ ଚାଉଳ ନେବା ହେଉ କି ବୃଦ୍ଧ/ବୃଦ୍ଧା ଭତ୍ତା ନେବାପାଇଁ ହେଉ ବହୁକଷ୍ଟ ସ୍ୱୀକାର କରୁଛନ୍ତି। ସରପଂଚ କିମ୍ବା ସ୍ଥାନୀୟ ନେତାମାନଙ୍କର ଆନ୍ତରିକତାର ଅଭାବରୁ ନିରୀହ ଅଶିକ୍ଷିତ ଆଦିବାସୀ ବିକାଶର ପ୍ରତିଶ୍ରୁତି ଫାନ୍ଦରେ ଆଜି ପର୍ଯ୍ୟନ୍ତ ଛନ୍ଦିହୋଇ ରହିଛନ୍ତି। ଏସବୁ ଗ୍ରାମକୁ ସରକାର ତଥା ପ୍ରଶାସନ ଉତ୍ତମ ରାସ୍ତା ଖଣ୍ଡିଏ ନିର୍ମାଣ କଲେ ବିକାଶର ସବୁ ବ୍ୟବସ୍ଥା ଏମାନଙ୍କ ପାଖରେ ପହଞ୍ଚି ପାରିଥାନ୍ତା ବୋଲି ତୁମୁଡ଼ିବନ୍ଧ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

 

Comments are closed.