୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ବିଦେଶୀ ଗଣମାଧ୍ୟମ ଅପପ୍ରଚାର ଚଳାଇଛି : ଜାବଡେକର

ନୂଆଦିଲ୍ଲୀ : ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ବିଦେଶୀ ଗଣମାଧ୍ୟମ ଅପପ୍ରଚାର ଚଳାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି। ଜମ୍ମୁକାଶ୍ମୀରର ପରିସ୍ଥିତି ଏବେ ସ୍ୱାଭାବିକ ରହିଛି। ଏକ ସମ୍ବାଦ ସରବରାହ ସଂସ୍ଥା ସହ ଆଲୋଚନା ସମୟରେ ସେ କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦକୁ ନେଇ ଜମ୍ମୁ-କାଶ୍ମୀର ଜନସାଧାରଣ ଖୁସି ଅଛନ୍ତି । କାରଣ ଦେଶର ଅନ୍ୟ ନାଗରିକମାନେ ପାଉଥିବା ସମସ୍ତ ସୁବିଧା ଏଣିକି ସେମାନେ ମଧ୍ୟ ପାଇପାରିବେ । ସେଠାରେ ଗଣମାଧ୍ୟମ ଉପରେ କୌଣସି କଟକଣା ନାହିଁ ଏବଂ ସମସ୍ତ ସମ୍ବାଦପତ୍ର କୌଣସି ସମସ୍ୟା ବିନା ପ୍ରକାଶିତ ହେଉଛି ବୋଲି ଶ୍ରୀ ଜାବଡେକର କହିଛନ୍ତି। ସେହିପରି କାଶ୍ମୀର ଉପତ୍ୟକାରେ ମାନବିକ ଅଧିକାରକୁ କ୍ଷୁଣ୍ଣ କରାଯାଉଛି ବୋଲି କେତେକ ବିଦେଶୀ ଗଣମାଧ୍ୟମ ଅପପ୍ରଚାର ଚଳାଇଛନ୍ତି। ତେବେ ସେମାନେ ଯାହା ଦର୍ଶାଉଛନ୍ତି ସେଥିରେ ସତ୍ୟତା ନାହିଁ ଏବଂ ଏହାକୁ ଶ୍ରୀ ଜାବଡେକର ଖଣ୍ଡନ କରିଛନ୍ତି।  ସାମ୍ବାଦିକମାନେ ମୁକ୍ତ ଓ ଅବାଧ ଭାବେ ସେହି ଅଞ୍ଚଳ ଗସ୍ତ କରି ସେଠାକାର ପରିସ୍ଥିତିକୁ ନିଜ ଆଖିରେ ଦେଖିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।

ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ହାତେଇବା ପାଇଁ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ବିଜେପ. ଅସ୍ତ୍ରଭାବେ ବ୍ୟବହାର କରୁଛି ବୋଲି ବିରୋଧି ଦଳର ଅଭିଯୋଗକୁ ମଧ୍ୟ ଶ୍ରୀ ଜାବଡେକର ଖାରଜ କରିଛନ୍ତି। ସେ କହିଛନ୍ତି, ଏହି ଐତିହାସିକ ପଦକ୍ଷେପ ଜନସାଧାରଣଙ୍କ ମନରେ ଗଭୀର ରେଖାପାତ କରିଛି । ତେଣୁ ସେମାନେ ଏସବୁ ବିଷୟକୁ ନେଇ ଆଲୋଚନା କରୁଛନ୍ତି । ଜମ୍ମୁ-କାଶ୍ମୀରର ଜନସାଧାରଣ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।

Comments are closed.