ରାତିରେ ରାଜପଥରେ ଯାତାୟତ କରିପାରିବ ମାଲବାହୀ ଗାଡ଼ି: ମାର୍ଗଦର୍ଶିକାରେ ସ୍ପଷ୍ଟ କଲେ ଗୃହ ସଚିବ

ନୂଆଦିଲ୍ଲୀ: ଲକ୍ଡ଼ାଉନ କୋହଳ କରାଯାଇ ଅନଲକ୍ ୧.୦ ଆରମ୍ଭ ହୋଇଛି । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ଏବଂ ଏହି ଅବଧି ମଧ୍ୟରେ ରାତିରେ ଯାତାୟତ ନିମନ୍ତେ କଟକଣା ଜାରି ହୋଇଛି । ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ମାର୍ଗଦର୍ଶିକାରେ ଉଲ୍ଲେଖ କରିଥିଲେ । ତେବେ ଜରୁରୀ ଆବଶ୍ୟକତା ହେତୁ ସାଧାରଣ ଲୋକ ଯାତାୟତ କରିପାରିବେ । ସେହିପରି ରାତିରେ ରାଜପଥରେ ମାଲବାହୀ ଗାଡ଼ି ଚଳାଚଳ କରି ପାରିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ।

ଏ ସମ୍ପର୍କରେ ଶ୍ରୀ ଭାଲ୍ଲା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଅନ୍‌ଲକ୍‌ ୧.୦ ଲାଗୁ ହେବା ଦିନଠୁ ରାତି ୯ଟାରୁ ସକାଳ ୫ ଯାଏଁ ଯାଆ ଆସ ଉପରେ କଟକଣା ଲାଗୁ କରାଯାଇଛି । ତେବେ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ରାତି ୯ଟାରୁ ସକାଳ ୫ ମଧ୍ୟରେ ଜାତୀୟ ରାଜପଥରେ ମାଲବାହୀ ଟ୍ରକ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ବହନ କରୁଥିବା ଗାଡ଼ି ଓ ମାଲବାହୀ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ । ଏହି ସମୟରେ ଗାଡ଼ିରେ ସାମଗ୍ରୀ ଲଦାଯିବା ଓ ଖଲାସ ଉପରେ ମଧ୍ୟ କଟକଣା ନାହିଁ ବୋଲି ଶ୍ରୀ ଭାଲ୍ଲା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.