ହାଇଡ୍ରୋକ୍ସିକ୍ଲୋରୋକ୍ୱିନରେ କରୋନା ଉପଶମର ପ୍ରମାଣ ନାହିଁ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାବେଳେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ସେବନ ଦ୍ୱାରା କେତେକାଂଶରେ ଉପଶମ ମିଳୁଥିବା କୁହାଯାଉଛି। ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ରୂ ଟ୍ରମ୍ପ ଏହି ଔଷଧ ଉପଯୋଗୀ ହେଉଛି ବୋଲି କହିଛନ୍ତି। ଏହା ଫଳରେ ଭାରତରୁ ଏହି ଔଷଧର ରପ୍ତାନି ବଢିଯାଇଛି। କିନ୍ତୁ ଗବେଷଣାରୁ ଜଣାପଡ଼ିଛି ଯେ ହାଇଡ୍ରୋକ୍ସି କ୍ଲୋରେକ୍ୱିନ ଦ୍ୱାରା କରୋନା ଚିକିତ୍ସାରେ ସେପରି କୌଣସି ଉପକାର ମିଳେନାହିଁ। ଦି ଲାନସେଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁସାରେ ପ୍ରାୟ ୧୫୦୦୦ କରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରଦାନ କରି ପର୍ୟ୍ୟବେକ୍ଷଣରେ ରଖାଯାଇଥିଲା।

ଏହି ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଏହି ଔଷଧ ଦ୍ୱାରା ସେମାନଙ୍କର ସେପରି କୌଣସି ଉପକାର ହୋଇନଥିଲା ବରଂ ସେମାନଙ୍କ ହୃଦଗତିରେ ଅସ୍ୱାଭାବିକତା ଦେଖାଦେଇଥିଲା । ଏଣୁ ଏହି ଔଷଧର ମାନବ ଶରୀର ଉପରେ ପାଶ୍ୱର୍ପ୍ରତିକ୍ରିୟା ଥିବାରୁ ଏହାକୁ ଡାକ୍ତରଙ୍କ ବିନା ପରାମର୍ଶରେ ନେବା ବିପଦଜନକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଔଷଧ ଦ୍ୱାରା ରୋଗୀଙ୍କଠାରେ ଗୁରୁତର ହୃଦୟ ସମସ୍ୟା ଓ ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଗତ ସପ୍ତାହରେ ଭାରତ ସରକାର କହିଥିଲେ ଯେ ଗତ ଦୁଇ ମାସରେ ବିଶ୍ୱର ୧୨୦ଟି ଦେଶକୁ ପାରାସିଟାମୋଲ ଓ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଇଦିଆଯାଇଛି।

କରୋନାର ଚିକିତ୍ସା ପାଇଁ ଏସବୁ ଔଷଧ ଗୁଡ଼ିକ ଉପଯୋଗୀ ହେଉଥିବାରୁ ଏସବୁ ଔଷଧର ଚାହିଦା ସାରା ବିଶ୍ୱରେ ବଢିଯାଇଛି। ଏଥିପାଇଁ ବିଭିନ୍ନ ଦେଶ ଭାରତକୁ ଏଗୁଡ଼ିକର ଯୋଗାଣ ପାଇଁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ କରୋନା ଭୂତାଣୁରେ ବିଶ୍ବବ୍ୟାପୀ ୫୨,୫୨,୨୧୪ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୩,୩୬,୫୩୨​ ହୋଇଛି।

Comments are closed.