ଚାରିଛକ ଶିକ୍ଷକଙ୍କ ଘରୁ ଚୋରି ଘଟଣା : ସାତ ଦିନ ପରେ ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ଶିକ୍ଷକ କୋଲନୀରୁ ଗତ ୧୨ତାରିଖ ବିଳମ୍ବିତ ରାତ୍ରୀରେ ଜନୈକ ଶିକ୍ଷକ ଦାମୋଦର ରାଉତଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ଘଟିଥିଲା । ଏଭଳି ଘଟଣା ନିକଟସ୍ଥ ପୁରୁଣାକଟକ ପୁଲିସ ଷ୍ଟେସନ ନାକ ତଳେ ଘଟିଥିଲେ ମଧ୍ୟ ଘଟଣାର ସାତ ଦିନ ପରେ ପୁଲିସ ଅଭିଯୁକ୍ତଙ୍କ ଟେର ନ ପାଇବା ଘଟଣା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ ଏବଂ ଡଗ୍ ସ୍କ୍ୱାର୍ଡ ସାହାଯ୍ୟରେ ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ସରିଥିଲେ ହେଁ ପୁଲିସକୁ ଘଟଣାର ସୁରାକ ନମିଳିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ପ୍ରକାଶ ଯେ ଚାରିଛକ ଶିକ୍ଷକ କୋଲନୀର ବାସିନ୍ଦା ଦାମୋଦର ରାଉତ ଏବଂ ତାଙ୍କ ପନ୍ତ୍ରୀ ମେଡିକାଲ କାର୍ଯ୍ୟରେ ବାହାରକୁ ଯାଇଥିଲେ। ଗତ ୧୨ତାରିଖ ବିଳମ୍ବିତ ରାତ୍ରୀରେ ଘରେ ପହଞ୍ଚି ଦେଖିଲା ବେଳକୁ ଘରୁ ଆଲମିରା ଭାଙ୍ଗି କେହି ଦୁର୍ବୃତ୍ତ ସୁନା ଅଲଙ୍କାର ଏବଂ ନଗଦ ଟଙ୍କା ଚୋରି କରି ନେଇଥିବା ଜାଣିବାକୁ ପାଇଲେ।ଏହାପରେ ପୁରୁଣା କଟକ ଥାନାରେ ସେ ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହ ସନ୍ଦେହରେ କିଛି ବଙ୍ଗାଳି ମିସ୍ତ୍ରୀଙ୍କୁ ଆଣି ପଚରାଉଚରା ପରେ ଛାଡି ଦେଇଥିବା ଜଣାପଡିଛି। ପୁରୁଣାକଟକ ଥାନା ଅଂଚଳରେ ମାସେ ଦୁଇ ମାସ ବ୍ୟବଧାନରେ ଘରୁ ଚୋରି ଭଳି ଅପରାଧିକ ଘଟଣା ଘଟୁଥିଲେ ମଧ୍ୟ ପୁଲିସ ଏଯାବତ୍ ଚାରିରୁ ଅଧିକ ଚୋରି ମାମଲାର ଅଭିଯୁକ୍ତଙ୍କ ଟେର ନପାଇବା ପୁଲିସ ଉପରୁ ସାଧାରଣ ଲୋକଙ୍କ ଆସ୍ଥା କମୁଛି। ସୂଚନା ଥାଉ କି ଗତ ଜାନୁୟାରୀ ୨୦୧୯ରେ ଭୈରବୀ ମନ୍ଦିରରୁ ରୂପା ଅଳଙ୍କାର ଚୋରି ଘଟିଥିଲା। ପୁଣି ଗତ ଫେବୃୟାରୀ୨୦୨୦ରେ ପୁରୁଣା କଟକସ୍ଥିତ ଭାରତ ଫାଇନାନ୍ସ କମ୍ପାନୀରୁ ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଶସସ୍ତ୍ର ଡକାୟତି ଭଳି ଘଟଣା ଘଟିଥିଲା । ଗତ ମାର୍ଚ୍ଚ ୮ତାରିଖ ମଧ୍ୟ ପୁରୁଣାକଟକ ମାରୁତି କଲୋନୀର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘର ଲୁହାଗ୍ରୀଲ ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଗହଣା ସହିତ ୨୦ହଜାର ନଗଦ ଟଙ୍କା ଚୋରି କରି ନେଇଥିଲେ। ପୁଲିସ ପକ୍ଷରୁ ଚିରାଚରିତ ଢଙ୍ଗରେ ଡଗ ସ୍କ୍ବର୍ଡ ଏବଂ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ପରେ ମଧ୍ୟ ଫଳ ଶୂନ। ମାତ୍ର ଏସବୁ ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ଯାହା ଫଳରେ ପୁରୁଣା କଟକ ଅଂଚଳରେ ବାରମ୍ବାର ଚୋରି, ଡକାୟତି ଭଳି ଅପରାଧୀକ ଘଟଣା ବୃଦ୍ଧିର ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏଥିପ୍ରତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସଚେତନ ନାଗରିକ ମହଲରୁ ଦାବୀ ଉଠୁଛି । ଏ ସର୍ମ୍ପକରେ ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀଙ୍କୁ ପଚାରିବାରୁ ସେ କହିଲେ ଘଟଣା ଉପରେ ତଦନ୍ତକାରୀ ଅଫିସର ଅଧିକ ତଦନ୍ତ ଜାରି ରଖିଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିବା ଉପରେ ଦୃଷ୍ଟି ଆକର୍ଷଣ କରିବାରୁ ଏହା ପୁଲିସ ପାଇଁ ବଡ ଚ୍ୟାଲେଞ ବୋଲି ସେ କହିଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

 

Comments are closed.