ମୋଦୀଙ୍କ ୱାର୍ଦ୍ଧା ଭାଷଣ ଆଚରଣବିଧି ଉଲ୍ଲଙ୍ଘନ କରି ନାହିଁ: ଇସି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧ ତାରିଖରେ ମହାରାଷ୍ଟ୍ରର ୱାର୍ଦ୍ଧାରେ ଦେଇଥିବା ଭାଷଣ କୌଣସି ପ୍ରକାର ନିର୍ବାଚନ ଆଚରଣବିଧି ଉଲ୍ଳଙ୍ଘନ କରି ନାହିଁ ବୋଲି ନିର୍ବାଚନ ଆୟୋଗ (ଇସି) ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଇସି କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମ୍ପର୍କରେ ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରାଯାଇଥିଲା। ଜନ ପ୍ରତିନିଧି ଆଇନ ଅନୁଯାୟୀ ଏହା ଆଚରଣବିଧି ଉଲ୍ଲଙ୍ଘନ କରୁ ନଥିବା ଜଣାଯାଇଥିଲା। କେରଳ ୱାଏନାଡରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବା ସମ୍ପର୍କିତ ନିଷ୍ପତ୍ତିକୁ ମୋଦୀ ତାଙ୍କର ଏହି ଭାଷଣରେ ସମାଲୋଚନା କରିଥିଲେ। ମୋଦୀ କହିଥିଲେ ଯେ ରାହୁଲ ହିନ୍ଦୁ ବହୁଳ ଅଞ୍ଚଳରେ ନିର୍ବାଚନ ଲଢିବାକୁ ଭୟ କରୁଛନ୍ତି। ତେଣୁ ସେ ସଂଖ୍ୟାଲଘୁ ବହୁଳ ଅଞ୍ଚଳରୁ ନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ଭାଷଣକୁ ନେଇ କଂଗ୍ରେସ ଇସିଙ୍କ ନିକଟରେ ଅଭିଯୋଗ କରିଥିଲା।

Comments are closed.