କର୍ଣ୍ଣାଟକରେ ୫ମ ଶ୍ରେଣୀ ଯାଏଁ ଅନ୍ଲାଇନ୍ କ୍ଲାସ୍ ଉପରେ ପ୍ରତିବନ୍ଧକ ଜାରି

ସମାଜ ପୋର୍ଟାଲ ଡେସ୍କ: କର୍ଣ୍ଣାଟକ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ୍. ସୁରେଶ କୁମାର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ଲାଇନ୍ କ୍ଲାସ୍ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ସେ କହିଛନ୍ତି, ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଇପାରିବ ନାହିଁ। ଯେଉଁ ବିଦ୍ୟାଳୟଗୁଡ଼ିକ ଅନ୍ଲାଇନ୍ କ୍ଲାସ୍ ଆଳରେ ଅଧିକ ଅର୍ଥ ଦାବି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ସୁରେଶ କୁମାର କହିଛନ୍ତି, ବରିଷ୍ଠ ଶିକ୍ଷାବିତ୍ଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦିଆଯାଉଥିବା ଅନ୍ଲାଇନ୍ କ୍ଲାସ୍ର ବିଭିନ୍ନ ଦିଗ ଉପରେ ବିଚାର କରିବା ଲାଗି ଏକ କମିଟି ଗଠନ କରାଯାଇଛି ଏବଂ ଏହା ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ବୋଲି ସେ କହିଛନ୍ତି।