ମୋଟରଯାନ ଆଇନ ଲାଗୁ ପରେ କମିଛି ଦୁର୍ଘଟଣା

ଭୁବନେଶ୍ୱର: ରାଜ୍ୟରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣାର ହାର କମିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ବୁଧବାର ଲୋକସେବା ଭବନରେ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଦୁର୍ଘଟଣାଜନିତ ମୃତ୍ୟୁହାର ଉପରେ ଆଲୋଚନା ହେବା ସହ ଏକ ରିପୋର୍ଟ ଦାଖଲ କରାଯାଇଥିଲା। ଏହା ଅନୁସାରେ ୨୦୧୮ ମସିହାରେ ଓଡ଼ିଶାରେ ୫ ହଜାର ୩୧୫ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତେବେ ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ହଜାର ୧୧୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସେହିଭଳି ଏହି ବୈଠକରେ ଦୁର୍ଘଟଣାପ୍ରବଣ ସ୍ପଟ୍‍ ଚିହ୍ନଟ କରିବାକୁ ଇଞ୍ଜିନିୟରିଂ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଚିହ୍ନଟ ହୋଇଥିବା ୫ଟି ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ସମ୍ବଲପୁର, ଜୟପୁର, ଝାରସୁଗୁଡ଼ାରେ ମଧ୍ୟ ଦୁର୍ଘଟଣାଗ୍ରସ୍ତଙ୍କୁ ମାଗଣା ଚିକିତ୍ସା କରାଯିବ। ରାଜପଥରେ ୧୪୫୨ଟି ବ୍ଲାକ୍‍ ସ୍ପଟ୍‍ ଚିହ୍ନଟ କରାଯାଇଛି। ସେଗୁଡ଼ିକର ମରାମତି ଶୀଘ୍ର କରାଯିବ। ସଡ଼କ ଦୁର୍ଘଟଣା ସମୀକ୍ଷା ପରେ ଏନେଇ ପରିବହନ ସଚିବ ଜି. ଶ୍ରୀନିବାସନ୍‍ ସୂଚନା ଦେଇଛନ୍ତି।

Comments are closed.