ଓଡ଼ିଶାକୁ ଉପେକ୍ଷା ! ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼

୩ ସଂସ୍ଥାର ୫ ଡିଜାଇନ ମନୋନୀତ ହୋଇଥିଲା, ଆଦର୍ଶ ବୈଠକରେ ବାଦ୍‌ ପଡ଼ିଲା ‘ପାଇକ ବିଦ୍ରୋହ’

ଭୁବନେଶ୍ବର : ପୁଣି ଓଡ଼ିଶାକୁ ଉପେକ୍ଷା। ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶା ତଥା ଦେଶବାସୀ ଚଳିତ ବର୍ଷ ଓଡ଼ିଶାର ମେଢ଼ ଦେଖିବାକୁ ପାଇବେ ନାହିଁ। ଅଧିକାରୀଙ୍କ ମନକୁ ପାଇଲାନି ଓଡ଼ିଶାର ଡିଜାଇନ୍‌। ଜୁରି କମିଟି ଓଡ଼ିଶାର କଳାସଂସ୍କୃତିକୁ ଉପେକ୍ଷା କଲେ। ୩ଟି ବୈଠକ ପରେ ଓଡ଼ିଶାର ଡିଜାଇନ୍‌କୁ ଶେଷରେ ବାଦ୍‌ ଦିଆଯାଇଛି।
ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଙ୍ଗକୁ ନୃତ୍ୟସଙ୍ଗୀତ ମଧ୍ୟ ପ୍ରଦର୍ଶିତ ହୋଇଥାଏ। ସେହି ଆଧାରରେ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢ଼ ନିମନ୍ତେ ଓଡ଼ିଶାରୁ ୩ ସଂସ୍ଥା- ନିୟତି, ଆମେଜରି ଏବଂ ସୁଚିତ୍ରା ଇଭେଣ୍ଟ ମ୍ୟାନେମେଣ୍ଟର ୫ ଡିଜାଇନ ମନୋନୟନ ନିମନ୍ତେ ଯାଇଥିଲା। ଯେଉଁଥିରେ ଓଡ଼ିଶାର ହକି, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ଓ ବକ୍ସି ଜଗବନ୍ଧୁ ତଥା ପାଇକ ବିଦ୍ରୋହ ଆଦି ରହିଥିଲା। ତେବେ ଦୁଇଟି ବୈଠକ ପରେ ତୃତୀୟ ବୈଠକ ପର୍ଯ୍ୟନ୍ତ କେବଳ ପାଇକ ବିଦ୍ରୋହ ରହିଥିବାବେଳେ ଆଦର୍ଶ ବୈଠକରେ ଏହାକୁ ବାଦ୍‌ ଦିଆଯାଇଥିଲା। କେନ୍ଦ୍ରର ଏଭଳି ବୈମାତୃକ ମନୋଭାବକୁ ଶିଳ୍ପୀ ତଥା ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ବି ଓଡ଼ିଶାର କୌଣସି ପ୍ରଜ୍ଞାପନ ମେଢ଼ ଦିଲ୍ଲୀ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲା।

Comments are closed.