ଆନ୍ଧ୍ରରେ ଲାଗୁ ହେବ ନାହିଁ ଏନ୍‌ଆରସି : ଜଗନ

କାଡପା : ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି)ବିରୋଧୀ ରାଜ୍ୟସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ୧୧ତମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶରେ ଏନଆରସି ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସୋମବାର କହିଛନ୍ତି। ଜଗନ କହିଛନ୍ତି ଯେ ତାଙ୍କ ସରକାର ଏନଆରସିକୁ ବିରୋଧ କରେ ଓ ଏହାକୁ ରାଜ୍ୟରେ ଲାଗୁ ହେବାକୁ ଦିଆଯିବ ନାହିଁ। ସେ କହିଛନ୍ତି ଯେ ଅନେକ ସଂଖ୍ୟାଲଘୁ ସଂଗଠନ ତାଙ୍କୁ ସାକ୍ଷାତ ପୂର୍ବକ ଏନଆରସି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅନୁରୋଧ କରିଥିଲେ। ତେଣୁ ସରକାରର ମୁଖ୍ୟ ଭାବେ ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରୁଛି। ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅମଜାଥ ବାସା ଏହି ପ୍ରସଙ୍ଗରେ ମତ ଦେଇଥିଲେ। ମତ ଦେବା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତାଙ୍କ ସହିତ ଆଲୋଚନା କରିଥିଲେ ବୋଲି ଜଗନ କହିଛନ୍ତି। ସଂସଦରେ ନାଗରିକତ୍ବ ସଂଶୋଧନ ବିଧେୟକକୁ ଜଗନଙ୍କ ନେତୃତ୍ବ ଦଳ ୱାଇଏସଆର କଂଗ୍ରେସ ସମର୍ଥନ କରିଥିଲା। ତେବେ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଓ ଏନଆରସି ଭିନ୍ନ ପ୍ରସଙ୍ଗ। ସିଏଏକୁ ସମର୍ଥନ କରିବା ଅର୍ଥ ନୁହେଁ ଯେ ଏନଆରସିକୁ ସମର୍ଥନ କରିବା। ପୂର୍ବରୁ ବିହାର, ପଶ୍ଚିମବଙ୍ଗ, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ ସମାନ ଘୋଷଣା କରିଥିବାବେଳେ ଆସାମ, ତ୍ରିପୁରା ସହ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଏହାକୁ ପ୍ରବଳ ବିରୋଧ କରାଯାଉଛି।

Comments are closed.