କରୋନା ଅପଡେଟ୍ : ଦେଶରେ କରୋନା ଭୂତାଣୁ ସଂକ୍ରମିତ ନୂଆ ଘଟଣା ଜଣାପଡ଼ି ନାହିଁ

ଗୋଷ୍ଠୀ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ୨୧ ହଜାରରୁ ଅଧିକ ଲୋକଙ୍କୁ ରଖାଯାଇଛି

ନୂଆଦିଲ୍ଲୀ : ଉହାନରୁ ଆସିଥିବା ଭାରତୀୟ ନାଗରିକମାନଙ୍କର ପରୀକ୍ଷା କରାଯିବା ପରେ ଯେଉଁମାନଙ୍କ ଦେହରେ କରୋନା ଭୂତାଣୁ ନଥିବାର ଜଣାପଡ଼ିଛି ସେମାନଙ୍କୁ ସେମାନଙ୍କର ନିଜ ନିଜ ଘରକୁ ପଠାଇ ଦିଆଯାଇଛି ବୋଲି ସରକାର କହିଛନ୍ତି।

ଅନ୍ୟପକ୍ଷରେ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଗୋଷ୍ଠୀ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ୨୧ ହଜାରରୁ ଅଧିକ ଲୋକଙ୍କୁ ରଖାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଶୁକ୍ରବାର ନୂଆଦିଲ୍ଲୀରେ ବରିଷ୍ଠ ଅଫିସରମାନଙ୍କ ସହ ଏକ ବୈଠକରେ ସ୍ଥିତାବସ୍ଥା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ସହ ସମନ୍ୱୟରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଷୟରେ ତାଙ୍କୁ ସୂଚନା ଦିଆଯାଇଛି। ବୈଠକ ସମୟରେ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ମୁଖା ସଂଗ୍ରହ କରାଯାଇଥିବା ବିଷୟ ଜଣାଇଛନ୍ତି। ଏପର୍ଯ୍ୟନ୍ତ ୩ଲକ୍ଷ ୯୭ ହଜାର ଯାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ସାରିଲାଣି। ୨ହଜାର ୭୦୭ ଜଣଙ୍କର ରକ୍ତ ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ କେବଳ ୩ ଜଣ ଭୂତାଣୁରେ ସଂକ୍ରମିତ ହୋଇଥିବାର ଆଗରୁ ଜଣାପଡ଼ିଥିଲା ଓ ଚିକିତ୍ସା ପରେ ସେହି ୩ ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଦେଶର କୌଣସି ଭାଗରେ କେହି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ି ନଥିଲେ ମଧ୍ୟ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ ନିବେଦନ କରିଛନ୍ତି।

Comments are closed.