ପାଲଘର ଭିଡ଼ ହିଂସା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କେହି ମୁସଲମାନ ନାହାନ୍ତି: ମହାରାଷ୍ଟ୍ର ସରକାର

ମୁମ୍ବଇ: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ୨ ଜଣ ସାଧୁ ଏବଂ ତାଙ୍କର ଜଣେ ଡ୍ରାଇଭରଙ୍କୁ ଉତ୍ତ୍ୟକ୍ତ ଲୋକମାନେ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ୧୦୧ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ କେହି ମୁସଲମାନ ନାହାନ୍ତି ବୋଲି ମହାରାଷ୍ଟ୍ର ସରକାର ସ୍ପଷ୍ଟ କରିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କ ନାମ ଆଜି ହ୍ବାଟ୍ସଆପରେ ଜାରି କରାଯିବ।

ଦେଶମୁଖ ଫେସବୁକ ଜରିଆରେ କହିଛନ୍ତି ଯେ, ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ କେହି ମୁସଲମାନ ନାହାନ୍ତି। ଏହି ଘଟଣା ପରେ ଏହାକୁ ନେଇ ସାମ୍ପ୍ରଦାୟିକ ରାଜନୀତି କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। କିଛି ଲୋକ ମୁଙ୍ଗେରିଲାଲଙ୍କ ସୁନ୍ଦର ସ୍ବପ୍ନ ଦେଖୁଛନ୍ତି। ଏହା ରାଜନୀତି କରିବାର ସମୟ ନୁହେଁ, ବରଂ ମିଳିମିଶି କରୋନା ଭୂତାଣୁ ସହିତ ଲଢ଼ିବାର ସମୟ।

ଏକ ଗୁଜବ ସମ୍ପର୍କରେ ଦେଶମୁଖ କହିଛନ୍ତି ଯେ, ଭାଇରାଲ ହୋଇଥିବା ଭିଡିଓରେ ‘ଓଏ ବସ୍‌’ ଶୁଣିବାକୁ ମିଳୁଛି। କିନ୍ତୁ କିଛି ଲୋକ ଏହାକୁ ‘ସୋଏବ ବସ୍‌’ ବୋଲି ପ୍ରସାରିତ କରିଛନ୍ତି। ସେ ଆହୁରି କହିଛନ୍ତି, ସମସ୍ତ ରାଜ୍ୟ ମହାମାରୀ ସହିତ ଲଢ଼ୁଛନ୍ତି। କିନ୍ତୁ କିଛି ଲୋକ ଏହି ମାମଲାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରିଛନ୍ତି। ଗୁଜବ ପ୍ରଚାର କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ ତାରିଖରେ ୨ ଜଣ ସାଧୁ ଏକ କାରରେ ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ମୁମ୍ବଇରୁ ଗୁଜରାଟର ସୁରତ ଯାଉଥିଲେ। ମହାରାଷ୍ଟ୍ରର ପାଲଘର ଜିଲାର ଏକ ଗାଁ ନିକଟରେ ସେମାନଙ୍କ କାର୍‌କୁ ଅଟକାଯାଇଥିଲା। ପରେ ଲୋକମାନେ ପିଲା ଚୋର ସନ୍ଦେହରେ କାରରୁ ୩ ଜଣଙ୍କୁ ବାହାରକୁ ଆଣି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ସେଠାରେ ପୁଲିସ ଉପସ୍ଥିତ ଥିଲେ ହେଁ ନୀରବଦ୍ରଷ୍ଟା ସାଜିଥିଲା।

Comments are closed.