ଆକାଂକ୍ଷା ଜିଲାରେ ଅପହଞ୍ଚ ବିକାଶ : ୭ଦଶନ୍ଧି ପରେ ବି ମୋବାଇଲ ସେବା ସ୍ବପ୍ନ

ରାୟଗଡ଼ା : ଏକଦା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ରାୟଗଡ଼ା ଜିଲାର ପଛୁଆ ବ୍ଲକ ଚନ୍ଦ୍ରପୁର ବ୍ଲକ କେବଳ ନାଁରେ  ସୀମିତ ରହିଯାଇଥିବା ଅଭିଯୋଗ ହୋଇଛି। ବ୍ଲକରେ ବିକାଶ ଆଣ୍ଠେଇଛି।
ଦିନେ ଏହି ବ୍ଲକ ମାଓବାଦୀଙ୍କ ଗଡ଼ ଥିବାବେଳେ ଦୁର୍ଦାନ୍ତ ମାଓ ନେତା ସବ୍ୟସାଚୀ ପଣ୍ଡା ଏଠାରୁ ନକ୍ସଲ ହିଂସା ସଂକ୍ରାନ୍ତରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ମାଓ ଭୟରେ ବର୍ଷବର୍ଷ ଧରି ପ୍ରଶାସନର ପାଦ ପଡୁ ନ ଥିଲା ଏହି ବ୍ଲକରେ। ଦିନ ଦ୍ବିପ୍ରହରରେ ହାତୀ ଆତଙ୍କ ସାଙ୍ଗକୁ ମାଓ ଭୟରେ ବିକାଶମୂଳକ କାମ ଠପ୍ ହୋଇଯାଇଥିଲା। ଏବେ କିନ୍ତୁ ସ୍ଥିତି ଭିନ୍ନ। ମାଓବାଦୀଙ୍କ ଛାପ ନାହିଁ ତଥାପି ବିକାଶ ଅପହଞ୍ଚ। ମାଓବାଦୀଙ୍କୁ ପୂର୍ଣ୍ଣ ସମର୍ଥନ କରୁଥିବା ଲୋକେ ପ୍ରଶାସନର କଥାରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଗଲେ ସତ କିନ୍ତୁ ବ୍ଲକର ଦୁର୍ଗମ ଅଞ୍ଚଳରେ ବିକାଶ ହୋଇପାରୁନି। ଏବେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ଅନ୍ୟ ମୌଳିକ ସୁବିଧା ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ଭତ୍ତା ସହ ପିଡିଏସ୍ ଚାଉଳ ପାଇଁ ଲୋକେ ପାଦଚଲା ରାସ୍ତାରେ ଯିବାଆସିବା କରୁଛନ୍ତି। ବନ୍ୟାରେ ଧୋଇ ହୋଇଯାଇଥିବା ପୋଲ ଏବେ ମଧ୍ୟ ନିର୍ମାଣ ହୋଇପାରୁନି। ଗୁରୁତ୍ବପୂର୍ଣ୍ଣ କଥା ଆଜିକାର ଡିଜିଟାଲ୍ ଯୁଗରେ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି ମୋବାଇଲ୍ ସେବା। ଜରୁରୀ ସେବା ଯୋଗାଇବାକୁ ନା ଅଛି ମୋବାଇଲ୍ ସେବା ନା ଟଙ୍କା ଉଠାଇବାକୁ ଅଛି ଏଟିଏମ ବ୍ୟବସ୍ଥା। ସରକାରୀ ଅଧିକାରୀଙ୍କ ଜାଣତରେ ବିଭିନ୍ନ ସରକାରୀ ଯୋଜନାକୁ ବାଟବଣା କରି ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି।

୮ଟି ପଞ୍ଚାୟତ ଓ ୧୨୯ଟି ଗ୍ରାମକୁ ନେଇ ଗଠିତ ଚନ୍ଦ୍ରପୁର ବ୍ଲକ ରାୟଗଡ଼ା ସଦର ମହକୁମାରୁ ୧୫୦କିଲୋମିଟର ଦୂରରେ ଅବସ୍ଥିତ। ୨୦୧୧ ଜନଗଣନା ଅନୁଯାୟୀ ଚନ୍ଦ୍ରପୁର ବ୍ଲକର ଜନସଂଖ୍ୟା ୨୮ହଜାର ୯୧୨। ବ୍ଲକ ସଦର ମହକୁମାରେ ସମସ୍ତ ସରକାରୀ ଦପ୍ତର ରହିଥିବାବେଳେ ସିଆରପିଏଫ୍ କ୍ୟାମ୍ପ ସହ ସରକାରୀ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ମଧ୍ୟ ରହିଛି। ଏତେ ସବୁ ବ୍ୟବସ୍ଥା ମଧ୍ୟରେ ନେଟୱର୍କ ନ ଥିବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନଲାଇନ୍ ଓ ୟୁଟ୍ୟୁବ୍ ପାଠପଢ଼ା ପ୍ରହସନରେ ପରିଣତ ହୋଇଛି। ଅନଲାଇନ୍ ସୁବିଧା ପାଇବା ପାଇଁ ସରକାରୀ କର୍ମଚାରୀ ଦିନ ଦିନ ଧରି ମୁନିଗୁଡ଼ା ସହରରେ ରହୁଛନ୍ତି। ଜିଲାସ୍ତରୀୟ ଅଧିକାରୀଙ୍କ ଗସ୍ତ ବେଳେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଦେଖିବାକୁ ମିଳୁଥିବାବେଳେ ଅନ୍ୟ ସମୟରେ ସହରାଞ୍ଚଳରେ ରହୁଥିବା ଅଭିଯୋଗ ହେଉଛି। ଚନ୍ଦ୍ରପୁର, ଥୁରିଗୁଡ଼ା ଓ ସିଆରପିଏଫ୍ କ୍ୟାମ୍ପ ପରିସରରେ ବିଏସଏନଏଲ୍ ଟାୱାର୍ ସ୍ଥାପନ ହୋଇଥିଲେ ସୁଦ୍ଧା ଅନେକ ସମୟରେ ସେବା ଯୋଗାଇପାରୁନି। ଚନ୍ଦ୍ରପୁର ବ୍ଲକ ଦେଇ ବଂଶଧାରା, ଚାଉଳଧୂଆ ଓ ଫଳଫଳିଆ ନଦୀ ପ୍ରବାହିତ ହେଉଥିବାବେଳେ ଦଶନ୍ଧି ଦଶନ୍ଧି ଧରି ଏହି ଅଞ୍ଚଳର ଆଦିବାସୀ ଚାଷୀ ଚାଷ ପାଇଁ ଜଳସେଚନର ସୁବିଧା ପାଇପାରୁନାହାନ୍ତି। କୃଷି ଯନ୍ତ୍ରପାତି ଯୋଗାଣ ହେଉ ଅବା ବିହନ ଯୋଗାଣରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରାଯାଉଥିବାବେଳେ ଦୋଷୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନି। ଆବାସ ଯୋଜନା, ମନରେଗା, ଜଳଯୋଗାଣ, ସ୍ବଛ ଭାରତ ମିଶନ ଓ ପୁଷ୍ଟିକର ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଘଟଣାରେ ପ୍ରଶାସନିକ ଅଧିକାରୀ ଅଖି ବୁଜି ଦେଇଥିବା ଅଭିଯୋଗ ହୋଇଛି। ବ୍ଲକର ବୁଡ଼ବାଲି, ପିସ୍କାପଙ୍ଗା ଓ ବିଜାପୁର ପଞ୍ଚାୟତରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ସରାକାରୀ ଯୋଜନା ଠିକଣା ସମୟରେ ପହଞ୍ଚିପାରୁନି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ କହିଛନ୍ତି ପର୍ଯ୍ୟାୟକ୍ରମେ ଚନ୍ଦ୍ରପୁର ବ୍ଲକରେ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି।

Comments are closed.