ମିଶିବନି କାଳିଆ-କିଷାନ ; ଚାଲୁ ରହିବ କାଳିଆ ଯୋଜନା : କୃଷିମନ୍ତ୍ରୀ

ଭୁବନେଶ୍ୱର : ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ମାସ ତଳେ ଆରମ୍ଭ ହୋଇଥିବା କାଳିଆ ଯୋଜନାର ରୂପରେଖରେ ପରିବର୍ତ୍ତନ ହୋଇଛି। ଏଣିକି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୪ହଜାର ଟଙ୍କା ମିଳିବ। ପୂର୍ବରୁ ରାଜ୍ୟ ସରକାର ପ୍ରତି କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ଦେଉଥିବାବେଳେ ଏବେ ମାତ୍ର ୨ହଜାର ଟଙ୍କା କରି ଦେବେ। ଏନେଇ ଗତ କ୍ୟାବିନେଟ ବୈଠକରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାଳିଆ ଓ ପିଏମ କିଷାନ ଯୋଜନା ମିଶ୍ରଣ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଛି ତାହା ଠିକ୍ ନୁହେଁ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଲୁ ରହିବ। ଏହାସହିତ କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା ମଧ୍ୟ ଚାଲିବ। କାଳିଆ ପାଇଁ ରାଜ୍ୟ ସରକାର ଦେଉଥିବା ସହାୟତା ରାଶି କମିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ରାଶି ଯିବ। ପିଏମ କିଷାନ ଓ କାଳିଆ ଯୋଜନାର ମିଶ୍ରଣ ସମ୍ପର୍କରେ ହେଉଥିବା ଚର୍ଚ୍ଚାକୁ ନେଇ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟ ସରକାର କାଳିଆ ଯୋଜନା ଚାଲୁ ରଖି‌େ‌ବ। କାଳିଆ ଲାଭ ଚାଷୀଙ୍କ ପାଖକୁ ଯିବ। କାଳିଆର ଦ୍ବିତୀୟ କିସ୍ତି ଅର୍ଥ ଚାଷୀଙ୍କୁ ଦିଆଯାଉଛି। କାଳିଆରେ ରାଜ୍ୟର ଭୂମିହୀନ କୃଷି ଶ୍ରମିଙ୍କୁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ୧୨ହଜାର ୫୦୦ଟଙ୍କା ଦେବେ। ଏହାଦ୍ବାରା ଚାଷୀମାନେ କୁକୁଡା, ବତକ ଓ ଛତୁ ଚାଷ କରି ତାଙ୍କ ଜୀବନ ଜୀବିକା ନିର୍ବାହ କରିପାରିବେ। କାଳିଆ ଯୋଜନା ନିୟମାବଳୀ ସଂଶୋଧନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଡ. ସାହୁ କହିଛନ୍ତି। ଅନ୍ୟପକ୍ଷରେ ପିଏମ କିଷାନରେ ବଡ଼ଚାଷୀଙ୍କୁ ଯେଭଳି ସହାୟତା ମିଳୁଥିଲା ଠିକ୍ ସେହିପରି ଚାଲୁ ରହିବ। ମାତ୍ର ଭୂମିହୀନ ଚାଷୀଙ୍କୁ ପିଏମକିଷାନରେ ସାମିଲ କରାଯିବ ନାହିଁ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପିଏମ କିଷାନ ଓ କାଳିଆ ଯୋଜନାରେ ସମୁଦାୟ ୧୦ ହଜାର ଟଙ୍କା ପାଇବେ। କେନ୍ଦ୍ର ତିନୋଟି କିସ୍ତିରେ ୬ହଜାର ଟଙ୍କା ଏବଂ ରାଜ୍ୟ ଦୁଇଟି କିସ୍ତିରେ ୪ହଜାର ଟଙ୍କା ଦେବ। ମାତ୍ର ରାଜ୍ୟ ସରକାର କାଳିଆ ଯୋଜନାରେ ବଡ଼ ଚାଷୀଙ୍କୁ ନେବେ ନାହିଁ।

ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୫୧ ଲକ୍ଷ ୫ହଜାର ପରିବାର କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଛନ୍ତି। ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିଲା ବେଳେ ଯୋଗ୍ୟ ମଧ୍ୟ ବାଦ ପଡ଼ିଛନ୍ତି । ସରକାରଙ୍କ ପକ୍ଷରୁ ଏବେ ସୁଦ୍ଧା ୪୫,୯୬୫ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କାଳିଆ ସହାୟତା ବାବଦକୁ ୨୨ କୋଟି ୯୮ଲକ୍ଷ ୨୫ହଜାର ଟଙ୍କା ଆବଣ୍ଟନ କରାଯାଇଛି। ଏହି ଅର୍ଥ ସମ୍ପୃକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚଳିତବର୍ଷ ଜାନୁଆରୀରୁ ମେ’ ମଧ୍ୟରେ ପଠାଯାଇଥିଲା।
ତେବେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀ ଯାଜପୁର ବ୍ଲକରେ ଥିବା ବେଳେ ନୟାଗଡରେ ୧୯୦୦ ଅଯୋଗ୍ୟ ହିତାଧିକାରୀ ଥିବା କୃଷି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଯୋଗ୍ୟ ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନେ କିପରି ସହାୟତା ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

Comments are closed.