ପଦ୍ମପୁରରେ ଧାନମଣ୍ଡି ଖୋଲିବ କେବେ ? ରାସ୍ତାକଡ, ଖଳାରେ ଷଢ଼ୁଛି ଅମଳ ଧାନ

ଗୁଣପୁର : ରାୟଗଡା ଜିଲାରେ ଧାନ ଅମଳ ଆରମ୍ଭ ହେଲାଣି। ସବୁଠି ଧାନ ମଣ୍ଡି ଖୋଲିଲାଣି। ଦକ୍ଷିଣ ଓଡ଼ିଶାର ଧାନ ଉତ୍ପାଦନ କେନ୍ଦ୍ର ପଦ୍ମପୁରରେ ଆରମ୍ଭ ହୋଇନି ଧାନମଣ୍ଡି। ଜମିରୁ ଧାନ କାଟି ଚାଷୀ ଅମଳ କରି ସାରିଲେଣି। ଖଳାରେ ଚାଷୀ ଧାନ ଧରି ବସିଛନ୍ତି। ଧାନ ବିକ୍ରି ହୋଇପାରୁନି। ପ୍ରଶାସନ ଧାନ ମଣ୍ଡିର ବ୍ୟବସ୍ଥା କରି ନ ଥିବାରୁ ପଦ୍ମପୁର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପଦ୍ମପୁର ଅଞ୍ଚଳରେ ଧାନମଣ୍ଡି ଆରମ୍ଭ ହୋଇନି। କେବେ ଖୋଲିବ ଧାନ ମଣ୍ଡି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଧାର କରଜ ଚାଷ କରୁଥିବା ଚାଷୀ ଚିନ୍ତାରେ ପଡିଛନ୍ତି । ଅମଳ ଧାନ ଖଳା, ରାସ୍ତାକଡ ଏବଂ ବିଲରେ ଷଢ଼ୁଛି। ପଦ୍ମପୁର ଅଞ୍ଚଳର ପାଖାପାଖି ୨୫ ଦିନ ହେଲାଣି ଅମଳ ଧାନକୁ ଚାଷୀ ପ୍ରବଳ ହାଡ଼ଭଙ୍ଗା ଶୀତରେ ଜଗି ରହିଛନ୍ତି। ପ୍ରଫୁଲ ପାଣିଗ୍ରାହୀ, କାଳିଆ ପାଣିଗ୍ରାହୀ, ରାଜୀବ ପାଣିଗ୍ରାହୀ, ଟଙ୍କଧର ଗମାଙ୍ଗ, ରାମ ସାହୁ ଭଳି ଚାଷୀ ଅମଳ କରିସାରିଲେଣି। ପଦ୍ମପୁର ମୌଜା ନୁହଁ, ଗୁଡିଆବନ୍ଦ, ଇନ୍ଦୁପୁର, ଲାଉଗୁଡା, ବହୁପଦର, ଆଖୁସିଂ, ମାରିଗୁଡା, ଖିଲାପଦର ମାରିଗୁଡା, ବିରିପଦର, କେନ୍ଦୁଗୁଡା, ଲିକିଟିପଦର, ନୂଆଗଡ଼, ଗୁଳୁଗୁଡା ମୌଜାରେ ଚାଷୀ ଖଳାରେ ଧାନ ଧରି ପଡିରହିଛନ୍ତି। କେବଳ ମଣ୍ଡି ନୁ​‌େ​‌ହଁ ଚିରିକୁଟି (ଟୋକନ୍) ସମସ୍ୟା ମଧ୍ୟ ଦେଖାଦେଇଛି। ଅନେକ ଚାଷୀଙ୍କ ଚିରିକୁଟି (ଟୋକନ) ଠିକ ସମୟରେ ଆସି ନ ଥିବା ଅଭିଯୋଗ ହୋଇଛି। ୩ ହଜାର ୮୦ ଚାଷୀ ପଞ୍ଜିକରଣ କରିଛନ୍ତି। ପଞ୍ଜିକୃତ ଚାଷୀ ଜାନୁଆରୀ ୫ ତାରିଖରୁ ଧାନ ମଣ୍ଡିରେ ବିକ୍ରିବଟା କରି ପାରିବେ ବୋଲି ପଦ୍ମପୁର ଯୋଗାଣ ଅଧିକାରୀ ପ୍ରଭାକର ମଲ୍ଲିକ ସୂଚନା ଦେଇଛନ୍ତି।

Comments are closed.